Nababharat News

ସାରା ଓଡ଼ିଶାକୁ ହିଟୱେଭ୍ ଆଲର୍ଟ, ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ତାତୁଛି ଓଡିଶା । ଆସନ୍ତା ୩ ରୁ ୪ ଦିନ ଯାଏଁ ହିଟ୍ ୱେଭ୍ ଆଲର୍ଟ। ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଟପିପାରେ ତାପମାତ୍ରା। ଟ୍ଵିନ୍ ସିଟିରେ ପାରଦ ୪୦ ଡିଗ୍ରୀ ଛୁଇଁବା ଆଶଙ୍କା। ଅପରାହ୍ନରେ କିଛି ସ୍ଥାନରେ ଝଡ଼ବର୍ଷା ହୋଇପାରେ। ଏନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ପ୍ରବଳ ଖରା ଏବଂ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆକାଶରୁ ଅଗ୍ନି ବର୍ଷୁଛି, ସକାଳ ୯ ଟାରୁ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡୁଛି। ବାହାରକୁ ବାହାରିଲେ ଦେହହାତ ପୋଡି ଯାଉଛି। ଦିନ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀରେ ଜଳୁଛି ଝାରସୁଗୁଡ଼ା। ସେହିପରି ୪୦ ଡିଗ୍ରୀ ଛୁଇଁଛି ସମ୍ବଲପୁର ଏବଂ ହୀରାକୁଦ । ରାଜଧାନୀରେ ସାଢେ ୧୧ ସୁଦ୍ଧା ୩୭.୬ ଡିଗ୍ରୀ ଛୁଇଁଛି ପାରଦ। ରାଉରକେଲାରେ ୩୭ ଡିଗ୍ରୀ, ବାଲେଶ୍ବର ଓ ଚାନ୍ଦବାଲିରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ୪୩ ଡିଗ୍ରୀ ଉପରେ ରହୁଛି ଦିନର ତାପମାତ୍ରା । ରାତିରେ ବି ତାପମାତ୍ରା ୩୧ ଡିଗ୍ରୀ ତଳକୁ ଖସୁନାହିଁ ପାରଦ। ପ୍ରବଳ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ଆହୁରି କିଛି ଦିନ କଲବଲ କରିବ ତାତି।

Exit mobile version