Nababharat News

ସରକାରୀ ଠିକା କାର୍ଯ୍ୟପାଇବା ପାଇଁ କମ୍ ଦରରେ ଟେଣ୍ଡର ପକାଉଥିବା ଠିକାଦାରଙ୍କ ଉପରେ ଲଗାମ ଲଗାଇବା ପାଇଁ ନିୟମାବଳୀରେ ସଂଶୋଧନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସରକାରୀ ଠିକା କାର୍ଯ୍ୟ ପାଇବା ପାଇଁ ଅତି କମ୍ ଦରରେ ଟେଣ୍ଡର ପକାଉଥିବା୍ ଠିକାଦାରଙ୍କ ଉପରେ ପୁଣିଥରେ ଲଗାମ ଲଗାଇଛନ୍ତି ରାଜ୍ୟ ସରକାର lକେବଳ ଟେଣ୍ଡର ପାଇବା ଆଶାରେ କମ୍ ଦର ଦେଇ ପରବର୍ତ୍ତୀ ସମୟରେ କାମ ଅଧପନ୍ତରିଆ ରଖିବା କିମ୍ବା ନିମ୍ନମାନର ନିର୍ମାଣ କରି ଖସିଯିବାର ଚକ୍ରାନ୍ତକୁ ରୋକିବା ପାଇଁ ପୂର୍ତ୍ତ ବିଭାଗ ପୁଣିଥରେ ନିଜର ନିୟମାବଳୀରେ ସଂଶୋଧନ କରିଛି। ଓଡ଼ିଶା ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ(ଓପିଡବ୍ଲ୍ୟୁଡି) କୋଡ୍ ଓ ଚୁକ୍ତିନାମା ସର୍ତ୍ତାବଳୀରେ ବ୍ୟାପକ ସଂଶୋଧନ କରାଯାଇଛି। ପୂର୍ବରୁ ବାରମ୍ବାର ନିୟମ ପରିବର୍ତ୍ତନ ସତ୍ତ୍ୱେ କମ୍ ଦର (ଲେସ୍‌) ପକାଇବାର ପ୍ରବୃତ୍ତି ନଥମିବାରୁ ରାଜ୍ୟ ସରକାର ନିଜର ପୂର୍ବ ନିର୍ଦ୍ଦେଶନାମାକୁ ରଦ୍ଦ କରି ଆଡସିନାଲ ପରଫରମାନ୍ସ ସିକ୍ୟୁରିଟି(ଏପିଏସ) ଢ଼ାଂଚାରେ ଏହି ପରିବର୍ତ୍ତନ ଆଣିଛନ୍ତି।ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଏଣିକି ଟେଣ୍ଡର ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ଦର ନିମନ୍ତେ କୌଣସି ଅତିରିକ୍ତ ସୁରକ୍ଷା ରାଶି ଦେବାକୁ ପଡ଼ିବ ନାହିଁ। କିନ୍ତୁ ୧୦ରୁ ୨୦ ପ୍ରତିଶତ ମଧ୍ୟରେ କମ୍‌(ଲେସ୍ ଦର) ଥିଲେ, ୧୦ପ୍ରତିଶତରୁ ଉର୍ଦ୍ଧ୍ୱ ପ୍ରତି ଏକ ପ୍ରତିଶତ ପାଇଁ ୦.୨ ପ୍ରତିଶତ ହାରରେ ଏପିଏସ୍ ଜମା କରିବାକୁ ପଡ଼ିବ ଯଦି ୨୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ଲେସ୍ ରହେ, ତେବେ ମୂଳ ୨ ପ୍ରତିଶତ ସହିତ ୨୦ ପ୍ରତିଶତରୁ ଉର୍ଦ୍ଧ୍ୱ ପ୍ରତି ଏକ ପ୍ରତିଶତ ପାଇଁ ୦.୩ ପ୍ରତିଶତ ଲେଖାଏଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ। ସେହିଭଳି ୩୦ ପ୍ରତିଶତରୁ ଅଧିକ ଲେସ୍ ଦର ପକାଇଲେ ମୂଳ ୫ପ୍ରତିଶତ ସହିତ ୩୦ ପ୍ରତିଶତରୁ ଅଧିକ ପ୍ରତି ଏକ ପ୍ରତିଶତ ପାଇଁ ୦.୫ ପ୍ରତିଶତ ହାରରେ ସୁରକ୍ଷା ରାଶି ବୃଦ୍ଧି ପାଇବ, ଯାହା ମୂଳ ପରଫରମାନ୍ସ ସିକ୍ୟୁରିଟିର ଏକ ଅଂଶ ଭାବେ ବିବେଚିତ ହେବ। ସେହିପରି ଏଣିକି ଟେଣ୍ଡର ପାଇଁ ଧାର୍ଯ୍ୟ ହୋଇଥିବା ପ୍ରକଳ୍ପ ମୂଲ୍ୟ ତୁଳନାରେ ଯଦି ଆପ୍ରୁଭଡ୍ ବିଡ୍ ମୂଲ୍ୟ ଲେସ୍‌ ଥାଏ, ତେବେ ଉକ୍ତ ପ୍ରତିଶତକୁ ଆଧାର କରି ରାଉଣ୍ଡିଂ ଅଫ୍ ଅଫ୍ ପରସେଣ୍ଟେଜ୍ ଲେସ୍ ବା ଆରଓପିଏଲ୍ ହିସାବ କରାଯିବ। ଯଦି କୌଣସି କଣ୍ଟ୍ରାକ୍ଟରଙ୍କ ଦରରେ ଦଶମିକ ପରେ ୦.୫୦ରୁ କମ୍ ଥାଏ ତେବେ ତାହାକୁ ତଳ ପୂର୍ଣ୍ଣ ସଂଖ୍ୟା ଓ ୦.୫୦ ବା ତା’ଠାରୁ ଅଧିକ ରହିଲେ ପରବର୍ତ୍ତୀ ଉପର ପୂର୍ଣ୍ଣ ସଂଖ୍ୟା ଭାବେ ଗଣାଯିବ। ଉଦାହରଣସ୍ୱରୂପ ଟେଣ୍ଡର ଡକାଯାଉଥିବା ଲେସ୍‌୍ ଦର ଯଦି ଏହା ୧୩.୨୫ ପ୍ରତିଶତ ଥିବ ତାହାକୁ ୧୩ ପ୍ରତିଶତ ଧରାଯିବ, କିନ୍ତୁ ଯଦି ଏହା ୧୩.୫୦ ପ୍ରତିଶତ ଥିବ ତେବେ ୧୪ ପ୍ରତିଶତ ଭାବେ ହିସାବ କରାଯିବ। ଏଥିସହ ପ୍ରଶାସନିକସ୍ତରରେ ଟେଣ୍ଡର ପ୍ରକ୍ରିୟାକୁ କଡ଼ାକଡ଼ି କରିବା ପାଇଁ ବୈଷୟିକ କମିଟିକୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। ଅସ୍ୱାଭାବିକ କମ୍ ଦର(ଲେସ୍ ) ଦାଖଲ କରିଥିବା ବିଡରଙ୍କ ଠାରୁ କାମର ପରିସର, ସମୟସୀମା, ସମ୍ବଳ ଓ ବିସ୍ତୃତ ମୂଲ୍ୟ ବିଶ୍ଳେଷଣ ମଗାଯିବ। କଣ୍ଟ୍ରାକ୍ଟର ଉକ୍ତ ଦରରେ କାମ କରିବାକୁ ଅସମର୍ଥ ଜଣାପଡ଼ିଲେ ଟେଣ୍ଡରକୁ ସିଧାସଳଖ ବାତିଲ କରାଯାଇପାରିବ। ଏକାଧିକ କଣ୍ଟ୍ରାକ୍ଟର ଯଦି ସମାନ ସର୍ବନିମ୍ନ ଦର(ଲେସ୍‌) ଦେଇଥିବେ କିମ୍ବା ୧୦ ପ୍ରତିଶତ ମୂଲ୍ୟ ରିହାତି ସୁବିଧା ପାଇବାପରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର କଣ୍ଟ୍ରାକ୍ଟରଙ୍କ ଦର ସର୍ବନିମ୍ନ(ଲେସ୍‌) ସହ ସମାନ ହେବ, ତା’ହେଲେ ସମ୍ପୃକ୍ତ ଅଧିକାରୀ ଓ ବିଡରମାନଙ୍କ ଉପସ୍ଥିତିରେ ଏକ ସ୍ୱଚ୍ଛ ଲଟେରୀ ଜରିଆରେ ଚୟନ ପ୍ରକ୍ରିୟା ସମ୍ପନ୍ନ ହେବ। ଟର୍ଣ୍ଣ-କି ପ୍ରକଳ୍ପକୁ ବାଦ୍ ଦେଇ ଅନ୍ୟ ସମସ୍ତ କାର୍ଯ୍ୟ ଲାଗି ଏହି ବ୍ୟବସ୍ଥା ଲାଗୁ ହେବ। ତେବେ କାର୍ଯ୍ୟ ସଫଳତାର ସହ ଶେଷ ହୋଇ ପ୍ରମାଣପତ୍ର ମିଳିବାର ୭ଦିନ ମଧ୍ୟରେ ଏହି ସୁରକ୍ଷା ରାଶି ଫେରସ୍ତ କରାଯିବାର ନିୟମ ରହିଛି।

Exit mobile version