Nababharat News

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ତହସିଲଦାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଶ୍ରୀ ଚନ୍ଦନ କୁମାର ନାୟକ ଓ ତାଙ୍କ ଡ୍ରାଇଭର ପଙ୍କଜ ସିପକାଙ୍କୁ ଧରିଛି ଭିଜିଲାନ୍ସ। ନିଜ ଡ୍ରାଇଭରଙ୍କ ଜରିଆରେ ଜଣେ ଆବେଦନକାରୀଙ୍କଠାରୁ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। ସୂଚନା ଥାଉ ଯେ, ଆବେଦନକାରୀ ତାଙ୍କର ଏକ ଚାଷ ଜମିକୁ ଘରବାଡ଼ିରେ ପରିବର୍ତ୍ତନ କରିବାକୁ ଗତ ଅକ୍ଟୋବର ମାସରେ ନିୟମ ପ୍ରକାରେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଆରଆଇ ନଭେମ୍ବର ୨ ତାରିଖରେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକଙ୍କୁ ଆବଶ୍ୟକ କାଗଜପତ୍ର ସହିତ ତଦନ୍ତ ରିପୋର୍ଟ ଦେଇଥିଲେ। ଏହା ସତ୍ତ୍ୱେ ତହସିଲଦାର ଫାଇଲକୁ ଆଗକୁ ବଢ଼ିବାକୁ ଦେଇ ନଥିଲେ। କାମ କରି ଦେବାକୁ ସେ ଆବେଦନକାରୀଙ୍କୁ ଲାଞ୍ଚ ମାଗିଥିଲେ। ସେ ନିଜ ପାଇଁ ୧୦ ହଜାର ଟଙ୍କା ମାଗିବା ସହିତ ତାଙ୍କ ଡ୍ରାଇଭରଙ୍କ ପାଇଁ ଅତିରିକ୍ତ ୨ ହଜାର ଟଙ୍କା ମାଗିଥିଲେ। ତହସିଲଦାର ଲାଞ୍ଚ ମାଗିବାରୁ ଉପାୟଶୂନ୍ୟ ହୋଇ ଘଟଣା ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ଆବେଦନକାରୀ। ଯୋଜନା ପ୍ରକାରେ ସେ ଆଜି ତହସିଲଦାରଙ୍କୁ ତାଙ୍କ ଡ୍ରାଇଭରଙ୍କ ଜରିଆରେ ଲାଞ୍ଚ ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି। ଏହି ୧୨ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ତହସିଲଦାରଙ୍କ ପାଇଁ ଓ ୨ ହଜାର ଟଙ୍କା ତାଙ୍କ ଡ୍ରାଇଭରଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଲାଞ୍ଚ ନେଇ ଧରାପଡ଼ିବା ପରେ ତହସିଲଦାର ଶ୍ରୀ ନାୟକଙ୍କ ଦୁଇଟି ଠିକଣା ସହିତ ଡ୍ରାଇଭର ପଙ୍କଜ ସିପକାଙ୍କ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ।

Exit mobile version