Nababharat News

ବୈଷୟିକ ଶିକ୍ଷାରେ ବଢିଲା ସିଟ୍ ସଂରକ୍ଷଣ

ଭୁବନେଶ୍ୱର: ବୈଷୟିକ ଶିକ୍ଷାରେ ବଢିଲା ସିଟ୍ ସଂରକ୍ଷଣ l ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ନିଷ୍ପତ୍ତି ଦ୍ବାରା ବର୍ତ୍ତମାନ ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ହାର ୧୨ ପ୍ରତିଶତରୁ ୨୨.୫ ପ୍ରତିଶତକୁ ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ୮ ପ୍ରତିଶତରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି। ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ ପୂର୍ବରୁ କୌଣସି ସଂରକ୍ଷଣ ନଥିବା ବେଳେ ବର୍ତ୍ତମାନ ଏହା ୧୧.୨୫ ପ୍ରତିଶତ ହୋଇଛି। ଏହାଦ୍ବାରା ଏହି ସବୁ ବର୍ଗର ଛାତ୍ରଛାତ୍ରୀମାନେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କର ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇ.ଟି.ଆଇ ଏବଂ ପଲିଟେକ୍ନିକ୍ ଗୁଡିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିଅରିଂ, ଟେକ୍ନୋଲୋଜି, ମ୍ୟାନେଜ୍ମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣିଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲ୍ଚର ଆଣ୍ଡ ଆଲାଏଡ୍ ସାଇନ୍ସେସ୍, ଆର୍କିଟେକ୍ଚର୍, ପ୍ଲାନିଙ୍ଗ୍, ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ ।

ସୂଚନାଯୋଗ୍ୟ, ନିଯୁକ୍ତି ଏବଂ BA, BCom, BSc ଭଳି ସାଧାରଣ ଉଚ୍ଚଶିକ୍ଷାରେ ଏହି ସବୁ ବର୍ଗର ପିଲାମାନଙ୍କ ପାଇଁ ସମାନୁପାତିକ ସଂରକ୍ଷଣ ରହିଛି। ଏଥିରେ ଅନୁସୂଚିତ ଜନଜାତିଙ୍କ ପାଇଁ ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି ପିଲାଙ୍କ ପାଇଁ ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ ୧୧.୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ତେବେ, ଇଞ୍ଜିନିୟରିଂ ଓ ମେଡିକାଲ ପରି ବୈଷୟିକ ଶିକ୍ଷାରେ ଅନୁସୂଚିତ ଜନଜାତିଙ୍କ ପାଇଁ ମାତ୍ର ୧୨ ପ୍ରତିଶତ, ଅନୁସୂଚିତ ଜାତି ପିଲାଙ୍କ ପାଇଁ ୮ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିଲା।

Exit mobile version