Nababharat News

ଦୁଇଟି ପର୍ଯ୍ୟାୟରେ ହେବ ପଶ୍ଚିମବଙ୍ଗ ନିର୍ବାଚନ:ECI

ନୂଆଦିଲ୍ଲୀ: ସୋମବାର ପଶ୍ଚିମବଙ୍ଗରେ ୨୩ ଓ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ପାଇଁ ଅଧିସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଅଧିସୂଚନାରେ କୁହାଯାଇଛି ଯେ ଉଭୟ ଦିନ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହେବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୫୨ ବିଧାନସଭା ଆସନ ନିମନ୍ତେ ମତଦାନ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ ବିଧାନସଭା ଆସନ ଲାଗି ଭୋଟ ପଡିବ। ଏହା ପୂର୍ବରୁ ମାର୍ଚ୍ଚ ୧୫ ତାରିଖ ଦିନ ନିର୍ବାଚନ କମିଶନର ପାଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟକ୍ରମ ଘୋଷଣା କରିଥିଲେ।କେବଳ ପଶ୍ଚିମବଙ୍ଗରେ ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ତେବେ ଅନ୍ୟ ୩ ରାଜ୍ୟ ଆସାମ, କେରଳ ଓ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀରେ ମଧ୍ୟ ଗୋଟିଏ ପର୍ଯ୍ଯାୟରେ ମତଦାନ ହେବ। ଇସିଆଇଙ୍କ ଏହି ଅଧିସୂଚନା ପରେ ପଶ୍ଚିମବଙ୍ଗ ଅର୍ଥବିଭାଗ ସୋମବାର ଉଭୟ ଦିନକୁ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି। ଏ ନେଇ ରାଜ୍ୟ ଅର୍ଥ ବିଭାଗର ଅଧିସୂଚନା ଅନୁସାରେ ଯେହେତୁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ ଏଣୁ ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୨୩ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୯ ତାରିଖରେ ସମ୍ପର୍କିତ ବିଧାନସଭା କ୍ଷେତ୍ରରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ଉଦ୍ୟୋଗର କର୍ମଚାରୀଙ୍କୁ ଛୁଟି ଦିଆଯିବ। ଏହି ଆଦେଶ ଲୋକପ୍ରତିନିଧି ଅଧିନିୟମ ୧୯୫୧ ଅନୁସାରେ କାର୍ଯ୍ୟକାରୀ ହେବ।

Exit mobile version