ବ୍ରହ୍ମପୁର: ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ସଂରକ୍ଷଣ ସୁବିଧାରେ ମେଡିକାଲ ସିଟ୍ ହାତେଇଥିବା ନିଶ୍ଚେତକ ବିଭାଗ ଡାକ୍ତର ଦୁର୍ଗଦତ୍ତ ଜାନିଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଥାନା ପୁଲିସ। ତାଙ୍କର ପ୍ରକୃତ ନାମ ଦୁର୍ଗାଦତ୍ତ ଶାସନି ହୋଇଥିବା ବେଳେ ସେ ତାଙ୍କ ନାମ ଦୁର୍ଗାଦତ୍ତା ଜାନି କରିଥିଲେ । ସେ ବ୍ରାହ୍ମଣ ହୋଇଥିବା ବେଳେ ଜାଲ୍ ଅନୁସୂଚିତ ଜନଜାତିର ପ୍ରମାଣପତ୍ର ଦେଇଥିଲେ ।
ଦୀର୍ଘ ୧୭ ବର୍ଷ ଡାକ୍ତରୀ ପାଠ ପଢ଼ା ଓ ରୋଗୀ ଚିକିତ୍ସା ପରେ ସେ ଜାଲ୍ ପ୍ରମାଣପତ୍ର ଦେଇ ଡାକ୍ତରୀ ସିଟ୍ ହାତେଇଥିବା ଜଣାପଡିଛି। ୨୦୦୬ରେ ଏମ୍ବିବିଏସ୍ ସିଟ୍ ବ୍ରହ୍ମପୁର ଏମ୍କେସିଜିରେ ପାଇଥିଲେ ଦୁର୍ଗାଦତ୍ତ । ଏଠାରେ ସେ ଅନୁସୂଚିତ ଜନଜାତି ପ୍ରମାଣପତ୍ର ଦାଖଲ କରିଛନ୍ତି। ପରେ ୨୦୧୪ ଜୁଲାଇ ୧୫ରୁ ୨୦୧୭ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ନିଶ୍ଚେତକ ବିଭାଗରେ ପିଜି ପାଠ ପଢ଼ିଥିଲେ ।
୨୦୨୧ ଜୁନ୍ ୨୯ ତାରିଖରେ ସେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଏମ୍କେସିଜିରେ ନିଯୁକ୍ତି ପାଇଥିଲେ । ୨୦୨୩ ଅକ୍ଟୋବର ୩୧ତାରିଖରେ ସେ ଏଠାରୁ ରିଲିଭ୍ ହୋଇ ବାଲେଶ୍ଵର ସ୍ଥିତ ଫକିର ମୋହନ ସେନାପତି ମେଡିକାଲ କଲେଜ ଓ ହସ୍ପିଟାଲରେ ଡିଏନ୍ବି ରେଡିଓଲୋଜିରେ ନାମ ଲେଖାଇଥିଲେ ।