Nababharat News

ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତୀର୍ଥକ୍ଷେତ୍ରରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାଳୟା ତିଥି। ଏହି ଅବସରରେ ଦେଶବ୍ୟାପୀ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପିତୃପୁରୁଷଙ୍କୁ ସ୍ମରଣ କରାଯାଇ ପିଣ୍ଡଦାନ ଏବଂ ତର୍ପଣ କରାଯାଉଛି। ହିନ୍ଦୁ ଧାର୍ମିକ ପରମ୍ପରା ଅନୁସାରେ, ପିତୃପକ୍ଷର ଶେଷ ଦିନରେ ପୂର୍ବପୁରୁଷଙ୍କୁ ସ୍ମରଣ କରି ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ କରାଯାଏ। ପଞ୍ଜିକା ଅନୁସାରେ, ଚଳିତ ବର୍ଷ ଅମାବାସ୍ୟା ତିଥି ଅକ୍ଟୋବର ୯ ରାତି ପ୍ରାୟ ୯ଟା ୩୫ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ରାତି ୯ଟା ୧୯ରେ ଶେଷ ହେବ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ଦିନ ପୂର୍ବପୁରୁଷଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ସେମାନଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଏ। ଯେଉଁ ପରିବାରରେ ପୂର୍ବପୁରୁଷଙ୍କ ମୃତ୍ୟୁ ତିଥି ଜଣା ନଥାଏ କିମ୍ବା ନିର୍ଦ୍ଦିଷ୍ଟ ତିଥିରେ ଶ୍ରାଦ୍ଧ କରାଯାଇପାରିନଥାଏ, ସେମାନଙ୍କ ପାଇଁ ସର୍ବପିତୃ ଅମାବାସ୍ୟାକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଏହି ଅବସରରେ ଲୋକେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଜଳ ଅର୍ପଣ, ପିଣ୍ଡଦାନ, ପ୍ରାର୍ଥନା ଏବଂ ଦାନଧର୍ମ କରିଥାନ୍ତି। ପିତୃପକ୍ଷରେ ଶ୍ରାଦ୍ଧ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରଲୋକଗତ ପରିବାର ସଦସ୍ୟଙ୍କୁ ସ୍ମରଣ କରିବା ଓ ସେମାନଙ୍କ ପ୍ରତି ସମ୍ମାନ ଜଣାଇବା। ପରମ୍ପରା ଅନୁସାରେ, ଶ୍ରାଦ୍ଧ କର୍ମ ଅପରାହ୍ନ ସମୟରେ କରାଯାଇଥାଏ।

Exit mobile version