Nababharat News

ସ୍ନାନବେଦିରେ ତିନି ଠାକୁର,ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ:- ମହାପ୍ରଭୁଙ୍କର ସ୍ନାନପୂର୍ଣ୍ଣିମା ଆଜି ଅନୁଷ୍ଠିତ ହେଉଛି। ଏଥି ପାଇଁ ଶ୍ରୀଜିଉମାନଙ୍କର ନୀତିକାନ୍ତି ଭୋର୍‌ରୁ ଆରମ୍ଭ ହୋଇଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ମହାପ୍ରଭୁଙ୍କ ପହଣ୍ଡି, ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ସମସ୍ତେ ପ୍ରସ୍ତୁତ ଅଛନ୍ତି। ସ୍ନାନଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ସ୍ନାନଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କରୁଛି। ସ୍ନାନଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୁଲିସ ଓ ଗୋଟିଏ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସପି ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ନଜରରେ ରଖାଯାଇଛି। ତାତି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ପାଣି ବ୍ୟବସ୍ଥା ହୋଇଛି।

Exit mobile version