Nababharat News

ବାତ୍ୟା ‘ମୋନ୍ଥା’ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା : ଜିରୋ କାଜୁଆଲଟି ର ଲକ୍ଷ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ବାତ୍ୟା ମୋନ୍ଥାର ମୁକାବିଲା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ, କୃଷି, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ବିଭାଗକୁ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ବାତ୍ୟା ଦାନା ଭଳି ମୋନ୍ଥାରେ ଜିରୋ କାଜୁଆଲ୍‌ଟିର ଲକ୍ଷ୍ୟ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୌଣସି ବିପଦ ସଂକୁଳ ଅଞ୍ଚଳରେ ଯେପରି ଜଣେ ବି ଲୋକ ରହିଯିବେ ନାହିଁ, ସମସ୍ତେ ବାତ୍ୟା-ବନ୍ୟା ଆଶ୍ରୟ ସ୍ଥଳ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବେ, ତାକୁ ଅଧିକାରୀ ମାନେ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାପରେ ଯେପରି ବିଭିନ୍ନ ଜରୁରୀ ବ୍ୟବସ୍ଥା ଯଥା ଗଛ କଟା, ରାସ୍ତା ସଫା, ବିଦ୍ୟୁତ ଯୋଗାଣ, ପାଣି ଯୋଗାଣ ଭଳି ସେବାଗୁଡ଼ିକ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଫସଲ ଅମଳ ସମୟ ହେଉଥିବାରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି। ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ସାରିଛି। ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ। ବର୍ତ୍ତମାନ ସୁଦ୍ଧା ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର ସରିଛି। ୩୦ ହଜାର ୫୯୪ ଜଣଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରହିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ। ୧୮୭୧ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍‌ ନିଆଯାଇଛି। ପୁଣି ୩୦ ଟି ଓଡ୍ରାଫ, ୫ଟି ଏନ୍‌.ଡି.ଆର୍‌.ଏଫ ଏବଂ ୧୨୩ଟି ଅଗ୍ନିଶମ ଦଳକୁ ମୁତୟନ କରାଯାଇଛି। ଆହୁରି ଅଧିକ ଟିମ୍ ଆଲର୍ଟରେ ଅଛନ୍ତି । ଆବଶ୍ୟକ ପଡିଲେ ନିୟୋଜିତ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟା ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ବରିଷ୍ଠ ଅଧିକାରୀ ମାନେ ବୈଠକରେ ଯୋଗଦେଇଥିଲେ । ଜିଲ୍ଲାପାଳ ମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ ।

Exit mobile version