Nababharat News

ଅପାରଗ କର୍ମଚାରୀଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଭାଗରେ ଥିବା ଅପାରଗ କର୍ମଚାରୀ ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତା’ର ହିସାବ ମାଗିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ନିକଟରେ ସଚିବସ୍ତରୀୟ ବୈଠକରେ ସମସ୍ତ ସଚିବଙ୍କୁ ସୂଚାଇ ଥିବାବେଳେ ଜୁଲାଇ ୩୧ରେ ମୁଖ୍ୟସଚିବଙ୍କ ନିର୍ଦ୍ଦେଶକ୍ରମେ ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ(ଓଏସ୍‌ଡି) କଲ୍ୟାଣ କୁମାର ରଥ ସମସ୍ତ ବିଭାଗର ସଚିବମାନଙ୍କୁ ପତ୍ର ଲେଖିଛନ୍ତି। ଚଳିତମାସ ୭ତାରିଖ ପୂର୍ବରୁ ସରକାରଙ୍କୁ ସମସ୍ତ ତଥ୍ୟ ଅବଗତ କରାଇବାକୁ ସେ ଦର୍ଶାଇଛନ୍ତି। ଏହାକୁ ନେଇ ସବୁ ବିଭାଗରେ ଏବେ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି। ବିଭାଗରେ କେତେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି, ସେନେଇ ଖୋଳତାଡ଼ ଆରମ୍ଭ ହୋଇଥିବାବେଳେ ସୋମବାର ଜଳସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟସଚିବଙ୍କ ନିର୍ଦ୍ଦେଶକୁ ନେଇ ଅତିରିକ୍ତ ସଚିବ ସମସ୍ତ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି । କର୍ମଚାରୀଙ୍କ ଅବସରଠାରୁ ଆରମ୍ଭ କରି ବାଧ୍ୟତାମୂଳକ ଅବସର ପର୍ଯ୍ୟନ୍ତ, ପ୍ରଶାସନରେ ବୈଷୟିକ ପ୍ରଣୟନ, ନାଗରିକକୈନ୍ଦ୍ରିକ ସରକାରଙ୍କ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟସଚିବ ୧୨ଟି ବିଷୟ ଉପରେ ଏହାର ସ୍ଥିତାବସ୍ଥା ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି।
ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ। ଯେଉଁମାନେ ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ ସମ୍ପାଦନା କରୁ ନାହାନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ। ସାଧାରଣ ପ୍ରଶାସନ ବିଭାଗର ୨୦୧୯ ସେପ୍ଟେମ୍ବର ୨୪ର ସର୍କୁଲାର ଅନୁଯାୟୀ, ସମ୍ପୃକ୍ତ ଅପାରଗ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ। ଏ ସମ୍ପର୍କରେ କେଉଁ ବିଭାଗ କେତେ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ସମୀକ୍ଷା କରିଛି ଏବଂ କେତେଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିି ତା’ର ବିବରଣୀ ପ୍ରଦାନ କରିବାକୁ ହେବ।

Exit mobile version