Nababharat News

ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗ ଦେବେ ଅମିତ ଶାହ

ଭୁବନେଶ୍ୱର: ଆସନ୍ତା ମାସ ମାର୍ଚ୍ଚ ୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶାହ ମାର୍ଚ୍ଚ ୫ ତାରିଖ ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଁଚିବେ । ୬ ତାରିଖ ପୂର୍ବାହ୍ନରେ କଟକ ମୁଣ୍ଡୁଳିସ୍ଥିତ ସିଆଇଏସଏଫର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଏବଂ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ( ସିଏଫଏସଏଲ), ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବା ସହ ଆଭାସୀ ମାଧ୍ୟମରେ ଏନଏଫଏସୟୁ ଟ୍ରାନଜିଟ୍ କ୍ୟାମ୍ପସ , ଭୁବନେଶ୍ୱରର ଶୁଭ ଉଦ୍ଘାଟନ କରିବେ । ସେଦିନ ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ନବୀନ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ସମବାୟ ଏବଂ ଅନ୍ୟ ବିଭିନ୍ନ ବିଭାଗ ପ୍ରକଳ୍ପଗୁଡିକର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମାନ୍ୟବର କେଦ୍ରମନ୍ତ୍ରୀଙ୍କ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗଦାନ ଗସ୍ତକୁ ଦୃଷ୍ଟିରେ ରଖି ଗୋଡ଼ିସାହିରୁ ମୁଣ୍ଡୁଳି ରାସ୍ତାର ବ୍ଲାକ୍ ଟପିଂ ସହିତ ଆଲୋକୀକରଣ, ପରିସ୍କାର ପରିଚ୍ଛନ୍ନତା ଓ ଆବଶ୍ୟକ ସୌନ୍ଦର୍ଯ୍ୟକରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଆଭାସୀ ମାଧ୍ୟମରେ କଟକ ଜିଲ୍ଲାପାଳ ଯୋଗଦେଇଥିଲେ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ସମୟର ବିଶଦ୍ କାର୍ଯ୍ୟସୂଚୀ, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ଓ ରୁଟ୍ ପ୍ଲାନ, କାର୍ଯ୍ୟକ୍ରମ ସ୍ଥଳର ଆନୁଷଙ୍ଗିକ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ପଦାଧିକାରୀ ଓ ପୁଲିସ୍ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ, କଟକ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

Exit mobile version