Nababharat News

ସହଜ ହେବ ଅନୁକମ୍ପାମୂଳକ ନିଯୁକ୍ତି :ନୂତନ ନିୟମକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଥଇଥାନ ସହାୟତା) ନିୟମ, ୨୦୨୬’ କୁ ଅନୁମୋଦନ ମିଳିଛି। ଚାକିରି କାଳରେ ପ୍ରାଣ ହରାଉଥିବା ସରକାରୀ କର୍ମଚାରୀଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କୁ କିପରି ଠିକ୍ ସମୟରେ ନିଯୁକ୍ତି ମିଳିପାରିବ, ସେଥିପାଇଁ ଏହି ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ସର୍ବାଧିକ ବାଧକ ସାଜୁଥିବା ‘୧୦୦-ପଏଣ୍ଟ ମୂଲ୍ୟାୟନ ପ୍ରଣାଳୀ’କୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି । ଥଇଥାନ ସହାୟତା ଯୋଜନା ଅଧୀନରେ ଗ୍ରୁପ୍-ଡି ପଦବୀ ପୂରଣ ପାଇଁ ଥିବା ୫୦ ପ୍ରତିଶତ ସୀମା ବା କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ, ଯଦି ମୃତ କର୍ମଚାରୀଙ୍କ ପତ୍ନୀ କିମ୍ବା ସ୍ୱାମୀଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥାଏ, କିମ୍ବା ସେ ନିଯୁକ୍ତି ନେବାକୁ ଅନିଚ୍ଛୁକ ଥାଆନ୍ତି କିମ୍ବା ମେଡିକାଲ୍ ବୋର୍ଡ ଦ୍ୱାରା ଅକ୍ଷମ ଘୋଷିତ ହୁଅନ୍ତି, ତେବେ ପରିବାରର ଅନ୍ୟ କୌଣସି ଯୋଗ୍ୟ ସଦସ୍ୟଙ୍କୁ ଚାକିରି ପାଇଁ ମନୋନୀତ କରାଯାଇପାରିବ । ଏହା ବ୍ୟତୀତ ଯେଉଁସବୁ ପୁରୁଣା ଆବେଦନ ଏବେ ବି ବିଚାରାଧୀନ ରହିଛି, ସେଗୁଡ଼ିକୁ ମଧ୍ୟ ଏହି ନୂଆ ନିୟମ ଅଧୀନରେ ବିଚାରକୁ ନିଆଯିବ। କେବଳ ସେତିକି ନୁହେଁ, ପୂର୍ବରୁ କେବଳ ୧୦୦-ପଏଣ୍ଟ ମୂଲ୍ୟାୟନ ବ୍ୟବସ୍ଥା କାରଣରୁ ଯେଉଁମାନଙ୍କର ଆବେଦନ ଖାରଜ ହୋଇଯାଇଥିଲା, ସେଗୁଡ଼ିକ ଉପରେ ଏବେ ପୁନର୍ବିଚାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version