Nababharat News

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ, ଦୁର୍ବୃତ୍ତମାନେ ବିଲ୍ଡର ପ୍ରୀତମ ଜେନାଙ୍କ ଘରର ମୁଖ୍ୟ ଫାଟକ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ସେମାନେ ଘର ଭିତରେ ଥିବା ସୁନା ଅଳଙ୍କାର, ନଗଦ ଟଙ୍କା, ଦାମୀ ଘଣ୍ଟା ଏବଂ ଏକ ହୀରା ଖଚିତ ବ୍ରେସଲେଟ୍ ଲୁଟି ନେଇଛନ୍ତି। ରାତି ପ୍ରାୟ ୧୦ଟାରୁ ୧୧ଟା ମଧ୍ୟରେ ଏହି ଚୋରି ହୋଇଥିବା ସନ୍ଦେହ କରାଯାଉଛି। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ଘରେ ଲାଗିଥିବା ସିସିଟିଭି ସର୍ଭିଲାନ୍ସ ସିଷ୍ଟମ୍‌ର ହାର୍ଡ ଡିସ୍କ ମଧ୍ୟ ସାଥୀରେ ନେଇଯାଇଛନ୍ତି। ଯାହା ଫଳରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଖବରପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ଲୁଟେରାମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Exit mobile version