Nababharat News

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ ପଡ଼ିଆର ପାଣି କୁଣ୍ଡରୁ ମିଳିଲା ମୃତଦେହ। ସୂଚନା ଅନୁଯାୟୀ ବୁଧବାର ଅପରାହ୍ଣରେ ବିଦ୍ୟାଳୟ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୭ ବର୍ଷୀୟା ଜଣେ ମାନସିକ ଭିନ୍ନକ୍ଷମ ଛାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଥିଲା। ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ସ୍କୁଲ ଛୁଟି ହେବା ପରେ ଶ୍ରେୟାଂଶୀଙ୍କୁ ନ ପାଇ ପରିବାର ପକ୍ଷରୁ ଶହୀଦନଗର ଥାନାରେ ଅପହରଣ ଅଭିଯୋଗ କରିଥିଲେ l ଖବର ପାଇ ସହିଦ ନଗର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲେ। ଶିଶୁଟିକୁ ଠାବ କରିବା ପାଇଁ ପୋଲିସ ମୁଖ୍ୟାଳୟରୁ ମଧ୍ୟ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଥିଲେ। ସିସିଟିଭି ଫୁଟେଜ୍ ଯାଞ୍ଚ ସହ ସମସ୍ତ ପିସିଆର୍ ଗୁଡ଼ିକୁ ଆଲର୍ଟ କରାଯାଇଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚରୁ ଜଣାପଡ଼ିଥିଲା ଛାତ୍ରୀ ଜଣକ ସ୍କୁଲ ଛୁଟି ହେବା ପୂର୍ବରୁ ସ୍କୁଲ କ୍ୟାମ୍ପସରୁ ବାହାରି ପୋଲିସ୍ ଲାଇନ୍ ଚିଲଡ୍ରେନ ପାର୍କ ଆଡ଼କୁ ଯାଉଥିଲେ । ଅଧିକ ଯାଞ୍ଚ ପରେ ଉକ୍ତ କୁଣ୍ଡରେ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଛାତ୍ରୀଙ୍କ ମାମୁଁ ପୋଲିସ୍ ଲାଇନ୍‌ରେ କନଷ୍ଟେବଳ ଥିବାରୁ ସେ ତାଙ୍କ ପାଖକୁ ଯାଉଥିଲେ ବୋଲି ପୋଲିସ ଅନୁମାନ କରୁଛି। ତେବେ ପ୍ରାଥମିକ ତଦନ୍ତରୁ ଶ୍ରେୟାଂଶୀ ପାଣିକୁଣ୍ଡରେ ବୁଡିଯିବାରୁ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି । ପ୍ରବଳ ବର୍ଷା ହେତୁ ପାଣିକୁଣ୍ଡରେ ପ୍ରାୟ ୪ରୁ ୫ ଫୁଟ୍ ପାଣି ଥିଲା। ତେବେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।

Exit mobile version