Nababharat News

ବ୍ଲୁ ଲେକ୍‌ରେ ଅଘଟଣ: ୨୪ ଘଣ୍ଟା ପରେ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

ନୀଳଗିରି: ନୀଳଗିରି ଥାନା ଅନ୍ତର୍ଗତ ମିତ୍ରପୁର ନିକଟସ୍ଥ ବ୍ଲୁ ଲେକ୍‌ରେ ଘଟିଥିବା ଘଟଣାର ଦୀର୍ଘ ୨୪ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଗଭୀର ପାଣିରୁ ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଗଛ ଉପରୁ ପ୍ରାୟ ୨୦୦ ଫୁଟ ଗଭୀର ପାଣିକୁ ଡେଇଁବା ପରେ ଦୁଇ ଛାତ୍ର ବୁଡ଼ି ପ୍ରାଣ ହରାଇଥିଲେ। ସେମାନଙ୍କ ସହ ଥିବା କେନ୍ଦୁଝର ଅଞ୍ଚଳର ରୋଶନ ନାୟକ ଅଳ୍ପକେ ବର୍ତ୍ତି ଯାଇଥିଲେ। ମୃତକ ଦୁଇ ଛାତ୍ର ହେଲେ ଭଦ୍ରକ ଅଞ୍ଚଳର ଅପୂର୍ବ ରଞ୍ଜନ ପାତ୍ରଙ୍କ ପୁଅ ଅଂଶୁମାନ ପାତ୍ର ଏବଂ ବାରିପଦା ଅଞ୍ଚଳର ଅଜିତ କୁମାର ପାତ୍ରଙ୍କ ପୁଅ ଭବେଶ ପାତ୍ର। ଉଭୟ ବାଲେଶ୍ୱର ଫକୀର ମୋହନ କଲେଜର ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଘଟଣା ପରେ ନୀଳଗିରି ଓ ରେମୁଣା ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଏବଂ ସ୍କୁବା ଡାଇଭରଙ୍କ ମିଳିତ ଟିମ୍‌ ଗଭୀର ପାଣିରେ ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ ଚଳାଇଥିଲେ। ଶେଷରେ ଉଭୟ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି। ନୀଳଗିରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Exit mobile version