ଭୁବନେଶ୍ୱର: ଆଜି ବିଜେପି ଦଳର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ବିଜୟ ପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ପତାକା ଉତ୍ତୋଳନ କରିଥିଲେ। ସେ କହିଥିଲେ, ବିଜେପି ସର୍ବଦା ‘ଆଗ ଦେଶ, ପରେ ପାର୍ଟି’ ଆଦର୍ଶକୁ ଆଗକୁ ନେଇ କାମ କରିଆସୁଛି ଏବଂ ଏହି ମୂଲ୍ୟବୋଧ ଦଳର ଶକ୍ତିର ମୂଳ ଭିତ୍ତି। ସେହିପରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ଅବସରରେ ଉପସ୍ଥିତ ରହି ଦଳର ଦୀର୍ଘ ୪୭ ବର୍ଷର ଯାତ୍ରାକୁ ସ୍ମରଣ କରିଥିଲେ। ସେ କହିଥିଲେ, ଦଳ ଯେଉଁ ସଂକଳ୍ପ ନେଇ ଆରମ୍ଭ ହୋଇଥିଲା, ଆଜି ମଧ୍ୟ ସେହି ଲକ୍ଷ୍ୟ ଓ ଆଦର୍ଶ ପଥରେ ଅଗ୍ରସର ହେଉଛି। ଦେଶସେବାକୁ ପ୍ରାଥମିକତା ଦେଇ କାମ କରିବା ହେଉଛି ବିଜେପିର ପ୍ରଧାନ ଲକ୍ଷ୍ୟ ବୋଲି ସେ ପ୍ରତିଷ୍ଠା ଦିବସରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଦଳର ସଫଳତା ପଛରେ ୧୪ କୋଟିରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ନିଷ୍ଠା, ପରିଶ୍ରମ ଓ ତ୍ୟାଗ ଥିବା ନେତାମାନେ କହିଛନ୍ତି। ଏହି ଅବସରରେ ଦଳକୁ ଏହି ସ୍ଥାନକୁ ଆଣିଥିବା ପୁରୁଣା ନେତା ଓ କର୍ମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରାଯାଇଛି। ୪୭ ବର୍ଷର ଏହି ଯାତ୍ରାକୁ ଆଗକୁ ନେଇ ବିଜେପି ଆହୁରି ସୁଦୃଢ଼ ଭାବେ ଦେଶସେବାରେ ନିଯୁକ୍ତ ରହିବ ବୋଲି ନେତୃବୃନ୍ଦ ମତ ଦେଇଛନ୍ତି।
୪୭ତମ ପ୍ରତିଷ୍ଠା ଦିବସରେ ବିଜେପିର ଶକ୍ତି ପ୍ରଦର୍ଶନ; “ଆଗ ଦେଶ, ପରେ ପାର୍ଟି”
