ଭୁବନେଶ୍ୱର: ବିରୋଧୀ ଦଳ ବିଜେଡି ଧାନ ସଂଗ୍ରହର ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି lଓଡ଼ିଶାର ଚାଷୀମାନେ ଧାନ ସଂଗ୍ରହର ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି, ଯାହା ଓଡ଼ିଶାର ଇତିହାସରେ ପୂର୍ବରୁ କେବେ ଦେଖାଯାଇନଥିଲା । ଓଡ଼ିଶା ଏକ କୃଷିପ୍ରଧାନ ଅର୍ଥନୀତି ହୋଇଥିବାରୁ ୬୦ ପ୍ରତିଶତରୁ ଅଧିକ ଲୋକ ଜୀବିକା ପାଇଁ କୃଷି ଉପରେ ନିର୍ଭର କରନ୍ତି ।ଏ ନେଇ ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ୍ ମହାନ୍ତି କହିଛନ୍ତି ଯେ, ଡବଲ୍ ଇଞ୍ଜିନ୍ ସରକାର ଧାନ ସଂଗ୍ରହରେ ଓଡ଼ିଶାର ଚାଷୀମାନଙ୍କ ସହ ବିଶ୍ୱାସଘାତକତା କରିଥିବା ଅତ୍ୟନ୍ତ ଦୁଃଖଦାୟକ । ୨୦୨୩-୨୪, ୨୦୨୪-୨୫ ଏବଂ ୨୦୨୫-୨୬ର ଧାନ ସଂଗ୍ରହ ସ୍ଥିତିର ତୁଳନାତ୍ମକ ବିଶ୍ଳେଷଣରୁ ଏହା ସ୍ପଷ୍ଟ । ୨୨ ଜାନୁଆରୀ ୨୦୨୪ରେ ବିଜେଡି ସରକାର ସମୟରେ ମୋଟ ୩୯,୭୪,୬୮୭ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିଲା ଏବଂ ୮,୪୦,୧୮୧ ଚାଷୀ ଓଡ଼ିଶାରେ ଧାନ ବିକ୍ରୟ କରିପାରିଥିଲେ । ୨୨ ଜାନୁଆରୀ ୨୦୨୫ରେ ବିଜେପି ସରକାର ସମୟରେ ମୋଟ ଧାନ ସଂଗ୍ରହ ୩୫,୬୪,୨୬୭ ମେଟ୍ରିକ୍ ଟନକୁ ହ୍ରାସ ପାଇଥିଲା ଏବଂ ମାତ୍ର ୭,୧୨,୪୮୧ ଚାଷୀ ଧାନ ବିକ୍ରୟ କରିପାରିଥିଲେ । ସେହିପରି ୨୨ ଜାନୁଆରୀ ୨୦୨୬ରେ ମୋଟ ଧାନ ସଂଗ୍ରହ ଆହୁରି ହ୍ରାସ ପାଇ ୩୦,୪୯,୫୫୦ ମେଟ୍ରିକ୍ ଟନରେ ପହଞ୍ଚିଛି ଏବଂ ମାତ୍ର ୬,୯୩,୦୯୭ ଚାଷୀ ଧାନ ବିକ୍ରୟ କରିପାରିଛନ୍ତି । ଏପର୍ଯ୍ୟନ୍ତ ୩୦ ପ୍ରତିଶତ ଚାଷୀ ୩୫ ପ୍ରତିଶତ ଧାନ ବିକି୍ର କରିପାରିଛନ୍ତି । ବିଜେପି ସରକାର ସମୟରେ ସଂଗ୍ରହ ହୋଇଥିବା ଧାନ ପରିମାଣ ଏବଂ ଚାଷୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏହା ସ୍ପଷ୍ଟ ଭାବରେ ଡବଲ ଇଞ୍ଜିନ୍ ସରକାରଙ୍କ ଅପାରଗତାକୁ ଦର୍ଶାଉଛି, ଯିଏ ଓଡ଼ିଶାରେ ଚାଷୀମାନଙ୍କୁ ସମସ୍ତ ଧାନ ସଂଗ୍ରହର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ।ସେ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ମୁଖ୍ୟମନ୍ତ୍ରୀ (କେନ୍ଦୁଝର) ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ (ବଲାଙ୍ଗୀର ଏବଂ ପୁରୀ) ଜିଲ୍ଲାଗୁଡିକ ଧାନ ସଂଗ୍ରହରେ ବହୁତ ପଛରେ ଅଛନ୍ତି l
ଧାନ ସଂଗ୍ରହର ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି
