Nababharat News

ବାଲିପାଟଣାରେ ପୁଣି ମାଡ଼ମାରି ଯୁବକଙ୍କୁ ହତ୍ୟା ଅଭିଯୋଗ

ବାଲିପାଟଣା: ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମ ନିକଟ ଅଠାନ୍ତର ଛକରେ ଶୁକ୍ରବାର ଅପରାହ୍ନରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ଲୁହାରଡ଼ରେ ସାଙ୍ଗଙ୍କୁ ପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ। ମୃତ ଯୁବକ ହେଲେ ରାକେଶ ମହାନ୍ତି। ଖବର ପାଇବା ପରେ ବାଲିପାଟଣା ଥାନା ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ବେଙ୍ଗବତୀ ଗ୍ରାମର ଅଭିଯୁକ୍ତ ଜାକିର୍‌ ସାହୁଙ୍କୁ ଗିରଫ କରିଛି। ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି। ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।
ସୂଚନାନୁସାରେ ଜାକିରଙ୍କ ଠାରୁ ରାକେଶ ୨୦ ହଜାର ଟଙ୍କା ଧାର ଆଣିଥିଲେ। ହେଲେ ଅର୍ଥ ଅଭାବରୁ ସେ ଟଙ୍କା ଦେଇ ପାରି ନ ଥିଲେ। ଶୁକ୍ରବାର ଅପରାହ୍ନରେ ରାକେଶଙ୍କୁ ଜାକିର୍‌ ଅଠାନ୍ତର ଛକକୁ ଆସିବାକୁ କହିଥିଲେ। ସେ ଯିବା ପରେ ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କିଛି ନିଶାଗ୍ରସ୍ତ ଯୁବକଙ୍କ ସହ ମିଶି ଜାକିର୍‌ ତାଙ୍କୁ ଲୁହାରଡ଼ରେ ପିଟି ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Exit mobile version