ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମେ’ ୨୮ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ଏଆଇ ପଲିସି’କୁ ଅନୁମୋଦନ ମିଳିଲା । ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଏଆଇ ପଲିସି ସଂକ୍ରାନ୍ତ ପ୍ରେସ୍ ରିଲିଜ୍ ମଧ୍ୟ ଜାରି ହେଲା । କିନ୍ତୁ ଏଆଇ ପଲିସି ପ୍ରସ୍ତୁତ କରିଥିବା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ଖବର ଲେଖା ହେବାପର୍ଯ୍ୟନ୍ତ ଏଆଇ ପଲିସିକୁ ସାର୍ବଜନୀନ କରାଯାଇନାହିଁ । ବିଭାଗର ୱେବସାଇଟରେ ଏହି ‘ପଲିସି’ ସଂକ୍ରାନ୍ତରେ କୌଣସି ତଥ୍ୟ ମଧ୍ୟ ନାହିଁ । ଏହି ଏଆଇ ପଲିସକୁ ନେଇ ସରକାରୀ ଅଫିସର ଓ କର୍ମଚାରୀଙ୍କ ସମେତ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉତ୍ସୁକତା ରହିଥିଲେ ମଧ୍ୟ ବିଭାଗ ସେହି ପଲିସିକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରିନଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସବୁ ବିଭାଗରେ ‘ଏଆଇ’ ବ୍ୟବହାରକୁ ଅଧିକ ଫଳପ୍ରଦ ଓ ସଂଗଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପ୍ରତ୍ୟେକ ବିଭାଗ ଜଣେ ଲେଖାଏଁ ‘ଏଆଇ ଅଫିସର’ ନିଯୁକ୍ତି ଦେବେ ଓ ତାଙ୍କୁ ସହଯୋଗ କରିବାକୁ ପ୍ରଯୁକ୍ତିବିଦ୍ୟା ଜ୍ଞାନକୌଶଳ ସମ୍ପନ୍ନ ଦୁଇଜଣ ଏସଓ କିମ୍ବା ଏଏସଓଙ୍କୁ ମୁତୟନ କରିବେ । ଏହି ଏଆଇ ଅଫିସରମାନେ ମିଳିତ ଭାବେ ‘ଏଆଇ ପ୍ରଯୁକ୍ତିବିଦ୍ୟାର ଅଧ୍ୟୟନ’ ଓ ବିଭାଗୀୟ କାର୍ଯ୍ୟରେ ଏହାର ପ୍ରୟୋଗ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବେ ।
ସାର୍ବଜନୀନ ହେଉନି ସରକାରଙ୍କ ‘ଏଆଇ ପଲିସି’
