Nababharat News

ଆୟର୍ଲାଣ୍ଡଠାରୁ ଟିମ୍ ଇଣ୍ଡିଆ ସିରିଜ୍ ହାରିବା ପରେ:ସୂର୍ଯ୍ୟବଂଶୀଙ୍କୁ ନ ଖେଳାଇବାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଆୟର୍ଲାଣ୍ଡଠାରୁ ସିରିଜ୍ ହାରିବା ପରେ ଏବେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଖେଳାଯାଇନଥିବାରୁ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି କିମ୍ବଦନ୍ତି ବ୍ୟାଟର ସୁନୀଲ ଗାଭାସ୍କର। ସେ କହିଛନ୍ତି ଯେ ଇଂଲଣ୍ଡ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳା ପୂର୍ବରୁ ଆୟର୍ଲାଣ୍ଡ ବିପକ୍ଷରେ ବୈଭବଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ ବୋଲି ସେ ଆଶା କରୁଥିଲେ। ଏପରି କରାଯାଇନଥିବାରୁ ସେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଦଳ ନିଜର ବର୍ତ୍ତମାନର ଓପନର ଅଭିଷେକ ଶର୍ମା ଓ ସଂଜୁ ସାମସନଙ୍କୁ ମଧ୍ୟରେ ଅଦଳବଦଳ କରି ଦୁଇଟି ଯାକ ମ୍ୟାଚ୍‌ରେ ସୂର୍ଯ୍ୟବଂଶୀଙ୍କୁ ଖେଳାଇଥାନ୍ତା ବୋଲି ସେ ଆଶା କରୁଥିଲେ। ଏପରି କରାଯାଇଥିଲେ ଇଂଲଣ୍ଡ ମ୍ୟାଚ୍‌ ପୂର୍ବରୁ ତାଙ୍କ ଉପରେ ଅନ୍ତର୍ଜାତୀୟ ପଦାର୍ପଣର ଚାପ କିଛିଟା ହ୍ରାସ ପାଇଥାନ୍ତା।ସେହିପରି ଭାରତୀୟ ସେନାର ଜଣେ ପୂର୍ବତନ ଅଧିକାରୀ ଏପ୍ରସଙ୍ଗରେ ଗୌତମ ଗମ୍ଭୀରଙ୍କୁ କଡା ସମାଲୋଚନା କରିଛନ୍ତି । ମେଜର୍ ଜେନେରାଲ ହର୍ଷା କକର ନାମକ ଜଣେ ପୂର୍ବତନ ସେନା ଅଧିକାରୀ ଏକ୍ସରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ହର୍ଷ ଲେଖିଛନ୍ତି ଯେ, ବୈଭବଙ୍କୁ ୨୦୨୭ ମାର୍ଚ୍ଚ ମାସରେ ହିଁ ସୁଯୋଗ ମିଳିବ । ନଚେତ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଯିବ । ଗମ୍ଭୀର ଯାହା କରୁଛନ୍ତି ତାହା ସବୁ ମିଛ । ବରିଷ୍ଠ ଖେଳାଳିମାନେ କେବେ ସେମାନଙ୍କ ରେକର୍ଡ ଭାଙ୍ଗୁ ବୋଲି ଚାହିଁ ନଥାନ୍ତି । ଏହାସହ ଗମ୍ଭୀର କାହିଁକି ଏକ ମ୍ୟାନେଜରର ଭୂମିକା ନେଉଛନ୍ତି ବୋଲି ପୂର୍ବତନ ସେନା ଅଧିକାରୀ ବିସିସିଆଇକୁ ପଚାରିଛନ୍ତି । ଏହାସହ ଗମ୍ଭୀର ଏବେ କୌଣସି ସ୍କୁଲ୍ କ୍ରିକେଟ୍ ଟିମରେ କୋଚିଂ ଦିଅନ୍ତୁ ବୋଲି ସେ କହିଛନ୍ତି ।

Exit mobile version