Nababharat News

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ଟି ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛିଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ ବିଦ୍ୟାଳୟ ପାଇଁ ଏକ ଫିଡର ସ୍କୁଲ ଭାବରେ କାର୍ଯ୍ୟ କରିବ । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ରଖା ଯାଇଛି । ଯେଉଁ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବେ, ୨ ଏକରରୁ ଅଧିକ ଜମି ଉପଲବ୍ଧ ହେଉଥିବ, ଏବଂ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିବ, ସେହି ସ୍କୁଲ ଗୁଡିକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ନିର୍ମାଣ କରାଯିବ।

ବୈଠକରେ ମୁଖ୍ୟମନ୍ତ୍ରୀ,ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ହେଡକ୍ୱାର୍ଟର୍ସରେ ଭୌଗୋଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ଲେଖାଏଁ ଆଦର୍ଶ ସ୍କୁଲ ନିର୍ମାଣ କରାଯିବ ଏବଂ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରେ ଜାତୀୟ ସ୍ତରୀୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ଏବଂ ଛାତ୍ରଛାତ୍ରୀଙ୍କ ଯିବା ଆସିବା ସୁବିଧା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ଦୁର୍ଗମ ଓ ଦୂର ଅଂଚଳରେ ରହୁଥିବା ପିଲାଙ୍କ ଯିବା ଆସିବା ପାଇଁ ମାଗଣାରେ ପରିବହନ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ପର୍ଯ୍ୟାପ୍ତ ଜମି ଥିବା ସ୍କୁଲଗୁଡ଼ିକୁ ଚୟନ କରାଯାଇ, ଭବିଷ୍ୟତରେ ହାଇସ୍କୁଲ ସ୍ତରକୁ ଅପଗ୍ରେଡ୍ ପାଇଁ ଏହାକୁ ଉନ୍ନତିକରଣ କରାଯିବ, ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷା ଫଳାଫଳକୁ ଉନ୍ନତ କରିବା ଏବଂ ଶିକ୍ଷକ ଚୟନ ପ୍ରକ୍ରିୟାରେ ଉନ୍ନତ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବ ଓ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

Exit mobile version