Nababharat News

୨୮ ଦିନ ପରେ ୮ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର: ୨୮ ଦିନ ପରେ ୮ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଉଦ୍ଧାର । ଦିଘା ମୁହାଣଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସମୁଦ୍ର ମଧ୍ୟରୁ ମାଛଧରା ଟ୍ରଲର ସହ ଏହି ୮ ଜଣ ମତ୍ସ୍ୟଜୀବୀଙ୍କୁ ଠାବ କରାଯାଇଥିଲା। ସେମାନେ ସମସ୍ତେ ଆନ୍ଧ୍ର ପ୍ରଦେଶର। ମାଛ ମାରିବା ପାଇଁ ଏକ ଟ୍ରଲରରେ ସେମାନେ ସମୁଦ୍ରକୁ ଯାଇଥିଲେ। ହେଲେ ସମୁଦ୍ର ମଧ୍ୟରେ ହଠାତ୍ ଟ୍ରଲରର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ଟ୍ରଲରଟି ସେମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଓ ସମୁଦ୍ରରେ ଭାସିବାକୁ ଲାଗିଥିଲା। ଭାସି ଭାସି ଧୀରେ ଧରେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳକୁ ଚାଲି ଆସିଥିଲା। ମିଳିଥିବା ଖବର ଅନୁଯାୟୀ, ଟ୍ରଲରରେ ଥିବା ୮ ଜଣ ମତ୍ସ୍ୟଜୀବୀ ୨୮ ଦିନ ଧରି ସମୁଦ୍ର ମଧ୍ୟରେ ଅସହାୟ ଅବସ୍ଥାରେ ରହିଥିଲେ। ଆଉ ଏକ ମାଛଧରା ଟ୍ରଲରକୁ ଦେଖି ସେମାନେ ସାହାଯ୍ୟ ମାଗିଥିଲେ। ସେଥିରେ ଥିବା ମତ୍ସ୍ୟଜୀବୀମାନେ ୱାୟାରଲେସ୍ ଯୋଗେ ଦିଘା ମୁହାଣରେ ଥିବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶେଷରେ ମାଛଧରା ଡଙ୍ଗା ସହିତ ୮ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

Exit mobile version