Nababharat News

ସନ୍ଧ୍ୟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଖୋଲିବ ୨୨ ଗେଟ୍

ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ଖୋଲିବ ହୀରାକୁଦ ଜଳଭଣ୍ଡାରର ୨୨ଟି ଗେଟ୍ । ୧୨ଟି ଗେଟ୍ ଦେଇ ୨ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅପରାହ୍ନରେ ଆଉ ୧୦ଟି ଗେଟ୍ ଖୋଲାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । ୨୨ଟି ଗେଟ୍‌ରେ ମୋଟ୍ ସାଢେ ୩ ଲକ୍ଷ ୩୦ ହଜାର କ୍ୟୁସେକ ପାଣି ନିଷ୍କାସିତ ହେବ । ଉପର ମୁଣ୍ଡରୁ ଜଳଭଣ୍ଡାରକୁ ଅଧିକ ପାଣି ପ୍ରବେଶ କରୁଥିବାରୁ ଗେଟ୍ ଖୋଲାଯିବାକୁ ନିଷ୍ପତି ହୋଇଛି । ଖଇରମାଳରେ ଏବେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ହୀରାକୁଦ ପାଣି ଆସିଲେ ପ୍ରାୟ ସାଢେ ୭ ଲକ୍ଷ ପାଣି ପ୍ରବାହିତ ହେବ । ୮ ଲକ୍ଷ ୮୮ ହଜାର କ୍ୟୁସେକ ଜଳ ଗୁରୁବାର ସନ୍ଧ୍ୟାରେ ପ୍ରବାହିତ ହେଉଥିବା ବେଳେ ଏବେ ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ଶନିବାର ସକାଳେ ମୁଣ୍ଡଳୀରେ ଜଳସ୍ତର ସାଢେ ୭ ଲକ୍ଷ କ୍ୟୁସେକରୁ ତଳକୁ ଖସିବ। ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା। ପ୍ରବଳ ଜଳପ୍ରବାହ ଯୋଗୁଁ ତିନୋଟି ନଦୀରେ ମୋଟ ୭ଟି ଘାଇ ସୃଷ୍ଟି ହୋଇଛି। ବ୍ରାହ୍ମଣୀ ନଦୀରେ ୪ଟି, ବୈତରଣୀର ଶାଖା କାଣୀ ନଦୀରେ ୨ଟି ଏବଂ ଖରସ୍ରୋତାର ଶାଖା ନୂଆ ମହାରା ନଦୀରେ ଗୋଟିଏ ଘାଇ ହୋଇଛି। ଜିଲ୍ଲାର ପ୍ରାୟ ୨୫୦ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ଏହାର ପ୍ରଭାବରେ ରହିଛନ୍ତି। ପ୍ରଶାସନ ୧୦ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହିତ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ ଜାରି ରଖିଛି ।

Exit mobile version