ଭୁବନେଶ୍ୱର: ରାଜ୍ୟ ସରକାର ୧୬୩୫ ରାଜସ୍ୱ ଗାଁ ଗୁଡ଼ିକର ମ୍ୟାପ୍ କରିବା ପାଇଁ ଯାଉଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କହିବା ମୁତାବକ, ରାଜ୍ୟରେ ୧୯୯୧ରୁ ୨୦୨୪ ପର୍ଯ୍ୟନ୍ତ ୩୪ ବର୍ଷ ଭିତରେ ମାତ୍ର ୧ ହଜାର ଗାଁକୁ ରାଜସ୍ଵ ଗାଁ ଭାବେ ଘୋଷିତ କରାଯାଇଥିଲା । ହେଲେ ପୂର୍ବ ସରକାର ସେଥିରୁ ମାତ୍ର ୩୦୦ ଗାଁର ମ୍ୟାପ୍ ପ୍ରସ୍ତୁତ କରିଥିଲେ । କିନ୍ତୁ ପୂର୍ବ ସରକାର ବାକି ୭୦୦ ଗାଁର ମ୍ୟାପ୍ କରିପାରିଲେ ନାହିଁ । ତେଣୁ ମ୍ୟାପ୍ ହୋଇନଥିବା ବାକି ଗାଁ ଏବଂ ନୂଆ ଗାଁ ମିଶାଇ ୧୬୩୫ ରାଜସ୍ୱ ଗାଁ ଗୁଡ଼ିକର ମ୍ୟାପ୍ କରିବା ପାଇଁ ଯାଉଛନ୍ତି ସରକାର। ସେଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ୍ । ଏହାସହ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଏହି ଗାଁ ଗୁଡିକ ମାନ୍ୟତା ପାଇବା ସହ କାର୍ଯ୍ୟକାରୀ ହେବ । ୩୪ ବର୍ଷ ଭିତରେ ପୂର୍ବତନ ସରକାର ମାନେ ଯାହା କରିପାରିଲେ ନାହିଁ, ବିଜେପି ସରକାର ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ରାଜସ୍ୱ ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ୍ ହେବ ବୋଲି ସୁରେଶ ପୂଜାରୀ କହିଛନ୍ତି । ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ପ୍ଲଟ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ । ଭୂ-ଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ । ୨୫୦ରୁ ଅଧିକ ଜନସଂଖ୍ୟା ଏବଂ ମୂଳ ରାଜସ୍ୱ ଗାଁକୁ ୫୦୦ ମିଟର ଦୂରତା ଥିବା ପଡ଼ା ଗାଁ ଗୁଡ଼ିକୁ କରାଯିବ ରାଜସ୍ୱ ଗ୍ରାମ । ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ କରାଯିବ, ରାଜସ୍ୱ ମନ୍ତ୍ରୀ
