Nababharat News

ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା :ଦୀଘା ଜଗନ୍ନାଥ ଧାମରୁ ହଟିବ ‘ଧାମ’ ଶବ୍ଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପରେ ଦୀଘା ଜଗନ୍ନାଥ ଧାମ ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ କହିଛନ୍ତି, ଏଣିକି ଏହାର ନାମ ‘ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଭାବେ ପରିଚିତ ହେବ।ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ପୂର୍ବ ସରକାର ‘ଧାମ’ ଶବ୍ଦକୁ ଯୋଡ଼ିଥିଲେ, ଯାହା ସନାତନ ପରମ୍ପରା ଓ ଧାର୍ମିକ ଭାବନା ବିରୋଧୀ ଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି ପାଇବା ପରେ ଏହି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନିଆଯିବ ଏବଂ କ୍ୟାବିନେଟ୍‌ରେ ପ୍ରସ୍ତାବ ଆଣି ନାମ ପରିବର୍ତ୍ତନ ପ୍ରକ୍ରିୟା ସମ୍ପନ୍ନ କରାଯିବ।ଦୀର୍ଘଦିନ ଧରି ଦୀଘା ଜଗନ୍ନାଥ ଧାମ ନାମକୁ ନେଇ ଓଡ଼ିଶାରେ ବିରୋଧ ଜାରି ରହିଥିଲା। ପୁରୀ ହେଉଛି ମହାପ୍ରଭୁଙ୍କ ଏକମାତ୍ର ‘ଶ୍ରୀକ୍ଷେତ୍ର’ ଓ ‘ଧାମ’ ବୋଲି ଦାବି କରି ଅନେକ ସେବାୟତ, ଧାର୍ମିକ ସଂଗଠନ ଓ ରାଜନୈତିକ ନେତା ଆପତ୍ତି ଉଠାଇଥିଲେ। ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଏହି ନାମ ହଟାଇବା ପାଇଁ ଚିଠି ଲେଖିଥିଲେ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ପଶ୍ଚିମବଙ୍ଗ ସରକାର ‘ଧାମ’ ଶବ୍ଦ ହଟାଇବାକୁ ନିଷ୍ପତ୍ତି ନେଇଥିବାରୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନାକୁ ସମ୍ମାନ ମିଳିଛି।

Exit mobile version