Nababharat News

କଂସ ମହାରାଜଙ୍କୁ ମଥୁରା (ବରଗଡ଼) ନଗରୀ ପାଇଁ ବିକାଶ ପ୍ରକଳ୍ପର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

ବରଗଡ:ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ସପ୍ତମ ଦିନରେ ଦର୍ଶକମାନେ ଏକ ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ । କଂସ ମହାରାଜ ତାଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ସମ୍ରାଟ ଭାବେ ସମ୍ୱୋଧନ କରି ପଚାରିଥିଲେ ମଥୁରା ନଗରୀ (ବରଗଡ଼) ର ବିକାଶ ପାଇଁ କି ପଦକ୍ଷେପ ନିଆଯାଇଛି । ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଥୁରା (ବରଗଡ଼)ର ଉନ୍ନତି ପାଇଁ ଆଜି ସମୁଦାୟ ପ୍ରାୟ ୧୩୬୨ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧୨୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହା ସହିତ ୩୮୦ କୋଟି ଟଙ୍କାର ଚାରିଟି ନୂଆ ପ୍ରକଳ୍ପ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବରଗଡ଼ରେ ଆଜି ୯୮୦ କୋଟି ୫୮ ଲକ୍ଷ ଟଙ୍କା ବିନିଯୋଗରେ ସମୁଦାୟ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ, ୩୮୨ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ୩୮ ଟି ଉନ୍ନତିମୂଳକ ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ମହିଳାମାନଙ୍କ ପାଇଁ ହୋଇଥିବା ସୁଭଦ୍ରା ଯୋଜନାରେ ମଥୁରା ନଗରୀ (ବରଗଡ଼)ର ୩,୪୧, ୬୧୪ ଜଣ ମା ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି । ସେହିପରି, ୨୦୨୪-୨୫ ଖରିଫ୍‌ ଓ ରବି ଋତୁରେ ବରଗଡ଼ର ୨,୪୧, ୧୩୫ ଜଣ ଚାଷୀଙ୍କ ଠାରୁ ୧୩,୯୯,୦୦୦ ମେଟ୍ରିକ୍ ଧାନ ସଂଗ୍ରହ କରାଯାଇ ଇନ୍‌ପୁଟ୍‌ ସହାୟତା ସହିତ ୪୩୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିସାବ ଦେଇଥିଲେ । ଏଭଳି ଆର୍ଥିକ ସହାୟତା ପୂର୍ବରୁ କେବେ ବି ଦିଆଯାଇ ନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିରେ ସନ୍ତୋଷପ୍ରକାଶ କରି କଂସ ମହାରାଜ କହିଲେ ‘ଆତ୍ମତୃପ୍ତି ଲାଭ କଲା ମହାବୀର କଂସାସୁର’ lମୁଖ୍ୟମନ୍ତ୍ରୀ ଏହି ଅବସରରେ ବରଗଡ଼ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରି କହିଥିଲେ ଯେ, ୧୩୨ କୋଟି ଟଙ୍କା ବ୍ୟୟ ବରାଦରେ ଜିରା ନଦୀ ଉପରେ ଏକ ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ । ଏହା ସହିତ ୩୦ କୋଟି ଟଙ୍କା ବ୍ୟୟରେ ବରଗଡ଼ ମ୍ୟୁନିସିପାଲଟିର ହାଟପଦା ଠାରେ ଏକ ଭେଣ୍ଡିଙ୍ଗ୍ ଜୋନ୍‌ର ବିକାଶ କରାଯିବ । ୬୫ କୋଟି ଟଙ୍କା ବିନିଯୋଗରେ ବରଗଡ଼ ସଦରରେ ଅଟଳ ବସ୍‌ଷ୍ଟାଣ୍ଡ ଯୋଜନାରେ ଏକ ଅତ୍ୟାଧୁନିକ ବସ୍‌ ଟର୍ମିନାଲ୍ ନିର୍ମାଣ କରାଯିବ ଓ ଗ୍ରୀଣ୍ଡୋଲା ଠାରେ ୧୫୦ କୋଟି ଟଙ୍କା ବିନିଯୋଗରେ ଏକ ଅନ୍ତନଦୀ ଜଳାଶୟ ନିର୍ମାଣ କରାଯିବ । ସୂଚନାଯୋଗ୍ୟ ଯେ, ଏହି ଚାରୋଟି ପ୍ରକଳ୍ପ ପାଇଁ ପ୍ରାୟ ୩୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି।

Exit mobile version