Nababharat News

ଉତ୍କେଲାରୁ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ

ଭୁବନେଶ୍ୱର:ଏଣିକି କଳାହାଣ୍ଡି ଜିଲ୍ଲାର ଉତ୍କେଲାରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ । ମେ’ ୨୫ ତାରିଖରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଦିନକୁ ଦୁଇ ଥର ବିମାନ ସେବା ଯୋଗାଇ ଦିଆଯିବ ବୋଲି ବିମାନ କମ୍ପାନୀ ‘ଇଣ୍ଡିଆ ଏୟାରୱାନ’ ପକ୍ଷରୁ ସୂଚନା ମିଳିଛି ।ତେବେ ଏହି ସେବା ଆରମ୍ଭ ହେଲେ ସାଧାରଣ ଲୋକଙ୍କ ସହିତ ମେଡ଼ିକାଲ, ଜରୁରୀକାଳୀନ ପରିସ୍ଥିତି ଏବଂ ସରକାରୀ ବା ଅଫିସିଆଲ କାମରେ ଯାଉଥିବା ଲୋକମାନେ ଏହା ଦ୍ୱାରା ବେଶ ଉପକୃତ ହେବେ ।ଇଣ୍ଡିଆ ଏୟାରୱାନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଉଡ଼ାଣ ବିମାନ ଭୁବନେଶ୍ୱରରୁ ସକାଳ ୫ଟା ୫୦ରେ ବାହାରି ସକାଳ ୭ଟାରେ ଉତ୍କେଲାରେ ପହଞ୍ଚିବ । ସେହିଭଳି ଉତ୍କେଲାରୁ ଉକ୍ତ ବିମାନ ସକାଳ ୭ଟା ୧୫ରେ ବାହାରି ଭୁବନେଶ୍ୱରରେ ସକାଳ ୮ଟା ୨୦ରେ ପହଞ୍ଚିବ । ଏବେ ବିମାନ ସାହାଯ୍ୟରେ ଉତ୍କେଲାରୁ ମାତ୍ର ୧ ଘଣ୍ଟା ୧୦ ମିନିଟରେ ଭୁବନେଶ୍ୱର ପହଞ୍ଚି ହେବ ।ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିମାନ ଦିନ ୧୧ଟା ୨୦ରେ ଭୁବନେଶ୍ୱରରୁ ବାହାରି ମଧ୍ୟାହ୍ନ ୧୨ଟା ୩୦ ଉତ୍କେଲାରେ ପହଞ୍ଚିବ । ଉକ୍ତ ବିମାନ ମଧ୍ୟାହ୍ନ ୧୨ଟା ୪୫ରେ ଉତ୍କେଲାରୁ ବାହାରି ଦିନ ୧ଟା ୫୫ରେ ଭୁବନେଶ୍ୱରରେ ପହଞ୍ଚିବ । ଏହି ଯାତ୍ରା ପାଇଁ ଟିକେଟ ମୂଲ୍ୟ ୩,୨୮୭ ଟଙ୍କା ରଖାଯାଇଛି ।

Exit mobile version