Nababharat News

ମଣିପୁରରେ ହିଂସାକାଣ୍ଡ :ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ

ଇମ୍ଫାଲ: ମଣିପୁରରେ ପୁଣିଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି l ଅଜ୍ଞାତ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଫାର୍ମହାଉସ୍ ଏବଂ ବାସଗୃହ ନିଆଁରେ ଜଳି ଯାଇଛି ।ସୂଚନା ଅନୁଯାୟୀ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଦୁର୍ବୃତ୍ତମାନେ ହଠାତ୍ ଏକ ସମ୍ବେଦନଶୀଳ ଗାଁରେ ପଶି ଆଖିବୁଜା ଗୁଳିଚାଳନା ଆରମ୍ଭ କରିଦେଇଥିଲେ । ପ୍ରାଣ ବିକଳରେ ସାଧାରଣ ଲୋକେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇ ଘଟଣାସ୍ଥଳରେ ହିଁ ଦୁଇ ଜଣ ନିରୀହ ମହିଳାଙ୍କର ପ୍ରାଣହାନି ଘଟିଥିଲା । ଏହା ପରେ ଉଗ୍ରବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଥିବା ଏକାଧିକ ଫାର୍ମହାଉସ୍ ଏବଂ ଆଖପାଖର କିଛି କୋଠାରେ ନିଆଁ ଲଗାଇ ଦେଇଥିଲେ ।ନିଆଁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅନେକ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇସାରିଥିଲା। ଏହି ରକ୍ତାକ୍ତ ହିଂସାକାଣ୍ଡର ଖବର ପାଇବା ପରେ ସୁରକ୍ଷା ବାହିନୀ, ଆସାମ ରାଇଫଲ୍ସ ଏବଂ ମଣିପୁର ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଗସ୍ତ କରି ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରାଯିବା ସହ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।ଏହି ବର୍ବର ଘଟଣା ପରେ ସମଗ୍ର ରାଜ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ।

Exit mobile version