ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ ମନ୍ତ୍ରଣାଳୟର ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଞ୍ଜୁର କରାଯାଇଛି। ଏସବୁ ପ୍ରକଳ୍ପ ପାଇଁ ୧୧,୧୬୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ରେଳ ପ୍ରକଳ୍ପ ଗୁଡ଼ିକ ହେଲା: ଇଟାର୍ସି-ନାଗପୁର ଚତୁର୍ଥ ଲାଇନ, ଛତ୍ରପତି ଶମ୍ଭାଜିନଗର (ଔରଙ୍ଗାବାଦ)-ପରଭଣୀ ଲାଇନ ଦୋହରୀକରଣ, ଆଲୁଆବାରି ରୋଡ୍-ନ୍ୟୁ ଜଲପାଇଗୁଡ଼ି ତୃତୀୟ ଓ ଚତୁର୍ଥ ଲାଇନ, ଡାଙ୍ଗପୋଷୀ-ଜରୋଲି ତୃତୀୟ ଓ ଚତୁର୍ଥ ଲାଇନ । ଏହାଦ୍ୱାରା ଓଡ଼ିଶା ସମେତ ୬ଟି ରାଜ୍ୟର ୧୩ଟି ଜିଲ୍ଲା ଉପକୃତ ହେବେ । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡର ୧୩ଟି ଜିଲ୍ଲାକୁ ସାମିଲ କରିଥିବା ୪ ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କରେ ପ୍ରାୟ ୫୭୪ କିଲୋମିଟର ନୂଆ ଲାଇନ୍ ଯୋଡ଼ିବ । ପ୍ରସ୍ତାବିତ ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପ ପ୍ରାୟ ୪୩.୬୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୨,୩୦୯ ଗ୍ରାମକୁ ଯୋଗାଯୋଗରେ ଉନ୍ନତି ଆଣିବ । କୋଇଲା, ସିମେଣ୍ଟ, କ୍ଲିଙ୍କର୍, ଜିପ୍ସମ୍, ଫ୍ଲାଏ ଆସ୍, କଣ୍ଟେନର୍, କୃଷି ସାମଗ୍ରୀ ଏବଂ ପେଟ୍ରୋଲିୟମ୍ ଉତ୍ପାଦ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଅତ୍ୟନ୍ତ ଜରୁରୀ ମାର୍ଗ। କ୍ଷମତା ବୃଦ୍ଧି ଦ୍ୱାରା ବାର୍ଷିକ ୯୫.୯୧ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ ସମ୍ଭବ ହେବ। ପରିବେଶ ଅନୁକୂଳ ଏବଂ ପରିବହନର ଶକ୍ତି ଦକ୍ଷ ମାଧ୍ୟମ ହୋଇଥିବାରୁ ରେଳବାଇ ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚକୁ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଏଥିସହିତ ତୈଳ ଆମଦାନୀ (୧୬ କୋଟି ଲିଟର) ହ୍ରାସ କରିବା ଏବଂ ଅଙ୍ଗାରକାମ୍ଳ ନିର୍ଗମନ (୫୧୫ କୋଟି କିଲୋଗ୍ରାମ) ହ୍ରାସ କରିବାରେ ସାହାଯ୍ୟ କରିବ ଯାହା ୨୦ କୋଟି ଗଛ ଲଗାଇବା ସହିତ ସମାନ।
ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମିଳିଲା ମଞ୍ଜୁରୀ
