Nababharat News

ଔଷଧ ପରେ ଏବେ ସିନେମା ଉପରେ ୧୦୦% ଶୁଳ୍କ ଲଗାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଟାରିଫ ଧାରା ଜାରି ରହିଛି। ଷ୍ଟୀଲ, ଅନ୍ୟାନ୍ୟ ଉତ୍ପାଦ ଓ ଔଷଧ ପରେ ଏବେ ସିନେମା ଉପରେ ଟାରିଫ ଲଗାଇଛନ୍ତି ଟ୍ରମ୍ପ। ଏନେଇ ସେ ସୋମବାର ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆମେରିକା ବାହାରେ ନିର୍ମାଣ ହେଉଥିବା ସମସ୍ତ ସିନେମା ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି।ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ଆମର ଚଳଚ୍ଚିତ୍ର ନିର୍ମାଣ ବ୍ୟବସାୟକୁ ଅନ୍ୟ ଦେଶଗୁଡ଼ିକ ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାରୁ ଚୋରି କରାଯାଉଛି ଯେପରି ଶିଶୁଠାରୁ ଚୋକୋଲେଟ ଚୋରି କରାଯାଏ। କାଲିଫର୍ନିଆ, ଏହାର ଦୁର୍ବଳ ଏବଂ ଅକ୍ଷମ ଗଭର୍ଣ୍ଣଙ୍କ ପାଇଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି! ତେଣୁ, ଏହି ଦୀର୍ଘକାଳୀନ ଓ କେବେ ଶେଷ ନ ହେଉଥିବା ସମସ୍ୟାର ସମାଧାନ ପାଇଁ, ମୁଁ ଯୁକ୍ତରାଷ୍ଟ୍ର ବାହାରେ ନିର୍ମିତ ସମସ୍ତ ଚଳଚ୍ଚିତ୍ର ଉପରେ ୧୦୦% ଶୁଳ୍କ ଲାଗୁ କରିବି।” ଏହି ପୋଷ୍ଟରେ ଆମେରିକାକୁ ପୁଣିଥରେ ମହାନ କରି ଗଢ଼ି ତୋଳିବା ବୋଲି ଲେଖିଛନ୍ତି ଟ୍ରମ୍ପ।ତେବେ ଟ୍ରମ୍ପଙ୍କର ଏହି ନିଷ୍ପତ୍ତିରେ ଶିଳ୍ପ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ନୀତି ହଲିଉଡକୁ ସାହାଯ୍ୟ କରିବା ପରିବର୍ତ୍ତେ କ୍ଷତି କରିପାରେ। ଡିଜନି, ପାରାମାଉଣ୍ଟ ଏବଂ ୱାର୍ନର ବ୍ରଦର୍ସ ସମେତ ଅନେକ ଆମେରିକୀୟ ଷ୍ଟୁଡିଓ ଖର୍ଚ୍ଚ ହ୍ରାସ କରିବା ପାଇଁ ପ୍ରାୟତଃ ବିଦେଶରେ ସୁଟିଂ କରନ୍ତି। ଆଉ ଯଦି ଟାରିଫ ଚାପରେ ଏଗୁଡ଼ିକ ଆମେରିକାରେ ଶୁଟ ହୁଏ ତେବେ ଲେବର କଷ୍ଟ ଯୋଗୁ ସିନେମା ଶୁଟିଂ କରିବା ମହଙ୍ଗା ହୋଇଯିବ। ବିଶ୍ଳେଷକମାନେ କହିଛନ୍ତି ଯେ ଏହି ପଦକ୍ଷେପ ଯୋଗୁ ମହାମାରୀରୁ ପୂର୍ବରୁ ସାମାନ୍ୟ ଉପରକୁ ଉଠିଥିବା ସିନେମା କମ୍ପାନୀଗୁଡ଼ିକ ଆହୁରି ସଙ୍କୁଚିତ ହେବାର ଆଶଙ୍କା ରହିଛି।

Exit mobile version