Nababharat News

ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜଲସା’, ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ ଏବଂ ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବାକୁ ଇ-ମେଲ୍ ରେ ଧମକ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜଲସା’, ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ ଏବଂ ବିମାନବନ୍ଦରକୁ ଉଡ଼ାଇ ଦେବାକୁ ଇ-ମେଲ୍ ଜରିଆରେ ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି। ନଭେମ୍ବର ୧୨ ତାରିଖ ସକାଳ ପ୍ରାୟ ୧୦:୫୨ ମିନିଟରେ ଏକ ଅଜ୍ଞାତ ଇମେଲ୍ ଠିକଣାରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇ ଜୋନାଲ ଅଫିସକୁ ଏହି ଧମକପୂର୍ଣ୍ଣ ବାର୍ତ୍ତା ପଠାଯାଇଥିଲା। ଏଥିରେ ଦକ୍ଷିଣ ମୁମ୍ବାଇର ଜାଭେରୀ ବଜାର ଶାଖା ସମେତ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ହେବା ନେଇ ଚେତାବନୀ ଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ବୋମା ନିଷ୍କ୍ରିୟକାରୀ ଦଳ ଓ ପୋଲିସ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଇମେଲରେ ବିସ୍ଫୋରଣ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୂଚୀ ମଧ୍ୟ ଦିଆଯାଇଛି। ଅପରାହ୍ନ ୧:୧୧ରେ ବ୍ୟାଙ୍କ, ୨:୧୧ରେ କୋର୍ଟ, ୩:୧୧ରେ ମେୟରଙ୍କ କାର୍ଯ୍ୟାଳୟ ଏବଂ ରାତି ୯:୧୧ରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିସ୍ଫୋରଣ ହେବ ବୋଲି ଉଲ୍ଲେଖ ରହିଛି। ଏହା ବ୍ୟତୀତ ମହାଲକ୍ଷ୍ମୀ ରେସକୋର୍ସ ଓ ଅମିତାଭ ବଚ୍ଚନଙ୍କ ବାସଭବନ ‘ଜଲସା’କୁ ମଧ୍ୟ ଟାର୍ଗେଟ କରାଯାଇଛି। ଏହି ଧମକପୂର୍ଣ୍ଣ ଇମେଲରେ ଲୋକପ୍ରିୟ ଗାୟକ ଦିଲଜିତ ଦୋସାଞ୍ଜଙ୍କ ନାମ ମଧ୍ୟ ରହିଛି। ତାଙ୍କର ଆଗାମୀ କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ଚେତାବନୀ ଦିଆଯାଇଛି।

Exit mobile version