ଚେନ୍ନାଇ: ଫିଲ୍ମ ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅଙ୍କୁ ବାସଭବନରୁ ଉଠାଇ ନେଇ ଅଟକ ରଖିଛି ତାମିଲନାଡୁ ପୋଲିସ । ସୂଚନା ଅନୁସାରେ, କାବେରୀ ଜଳ ବିବାଦକୁ ନେଇ ତାଞ୍ଜାଭୁରରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଉଦୟନିଧି ଷ୍ଟାଲିନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ତାମିଲନାଡୁ କାବେରୀ ନଦୀର ଯଥାର୍ଥ ଜଳ ପାଉନାହିଁ ଏବଂ ସରକାର ଏହି ପ୍ରସଙ୍ଗରେ ଚୁପ ରହିଛନ୍ତି। ଭାଷଣ ସମୟରେ ସମାବେଶରେ ଉପସ୍ଥିତ କିଛି ଲୋକ ଅଭିନେତ୍ରୀ ତ୍ରିଶାଙ୍କ ନାମରେ ସ୍ଲୋଗାନ ଦେଇଥିଲେ। ଏହା ପରେ ଉଦୟନିଧି କରିଥିବା ଏକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତାଙ୍କର ମନ୍ତବ୍ୟକୁ ଅନେକ ମହଲରେ ତ୍ରିଶାଙ୍କ ପ୍ରତି ଅପମାନଜନକ ବୋଲି ଅଭିଯୋଗ କରାଯାଇଛି। ଏହା ପରେ ମାମଲାଟି ରାଜନୈତିକ ରୂପ ନେଇଥିଲା। ବିଜେପି ମଧ୍ୟ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବି କରିଥିଲା । ତାମିଲନାଡୁ ବିଜେପିର ମୁଖ୍ୟ ମୁଖପାତ୍ର ନାରାୟଣନ ତିରୁପତି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ପୋଷ୍ଟ କରି ଉଦୟନିଧିଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେହିପରି ଟିଭିକେ ନେତାମାନେ ମଧ୍ୟ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଓ ଗିରଫ ଦାବି କରିଥିଲେ।
ବିବାଦୀୟ ବୟାନ ଦେଇଥିବାରୁ ଷ୍ଟାଲିନଙ୍କୁ ଉଠାଇ ନେଲା ତାମିଲନାଡୁ ପୋଲିସ
