Nababharat News

ଇଣ୍ଟରନେଟର ବ୍ୟବହାର ଛୋଟ ପିଲାଙ୍କ ମୌଳିକ ଅଧିକାର:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :ବୟସ ଭିତ୍ତିକ ଇଣ୍ଟରନେଟ ବ୍ୟବହାରର ସମୂହ ବ୍ୟାନ ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଇଣ୍ଟରନେଟ ବ୍ୟବହାର କରିବା ପିଲାଙ୍କ ସମେତ ସବୁ ବର୍ଗର ଲୋକଙ୍କର ଗୋଟିଏ ମୌଳିକ ଅଧିକାର ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ।ତେବେ ପିଲାମାନଙ୍କୁ ଅନଲାଇନ ସେକ୍ସୁଆଲ ଦୁର୍ବ୍ୟବହାରରୁ ସୁରକ୍ଷା ଦେବା ପାଇଁ କଠୋର ନୀତି ଆପଣା ଯିବା ସପକ୍ଷରେ ସୁପ୍ରିମକୋର୍ଟ ମତ ରଖିଛନ୍ତି। ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରୁ ଛୋଟ ପିଲାଙ୍କ ସହ ଜଡ଼ିତ ଅଶ୍ଳୀଳ ବିଷୟବସ୍ତୁକୁ ତତ୍କାଳ ଚିହ୍ନଟ ଓ ସେଗୁଡ଼ିକୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଛୋଟ ପିଲାଙ୍କ ସୁରକ୍ଷା ଓ ସ୍ୱାଧୀନତା ପରସ୍ପରର ବିରୋଧୀ ନୁହନ୍ତି। ଛୋଟ ପିଲାଙ୍କୁ ସଂପୂର୍ଣ୍ଣ ଭାବେ ଇଣ୍ଟରନେଟରୁ ବଞ୍ଚିତ କରିବା ଅନୁଚିତ ହେବ। ପିଲାମାନଙ୍କ ଅଧିକାରକୁ ଛଡ଼ାଇ ନେବା ଅପେକ୍ଷା ସେମାନଙ୍କୁ ସୁରକ୍ଷା ଦିଆଯିବା ଦରକାର। ଇଣ୍ଟରନେଟ୍‌ରେ ଚାଇଲ୍ଡ ମୋଡ଼ ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। କୋର୍ଟଙ୍କ କହିବା କଥା ଯେ ବୟସ ଭିତ୍ତିକ କଟକଣା ସମ୍ଭବତଃ ପିଲାମାନଙ୍କୁ ଅସୁରକ୍ଷିତ ଓ ସମ୍ଭାବ୍ୟ ବିପଦଜନକ ୱେବସାଇଟ ଆଡ଼କୁ ଆକର୍ଷିତ କରିବାର ଆଶଙ୍କା ରହିଛି। ଅନଲାଇନରେ ଧମକ କିମ୍ବା ଅନ୍ୟାନ୍ୟା ନିର୍ଯାତନାର ସାମ୍ନା କରୁଥିବା ପିଲମାନେ ଏପରି ଏକ ସ୍ଥିତିରେ ନିଜ ବାପା ମା’ଙ୍କୁ ପୂରା ଘଟଣା ସମ୍ପର୍କରେ କହିବାକୁ କୁଣ୍ଠାବୋଧ ମଧ୍ୟ କରିପାରନ୍ତି।କଟକଣାକୁ ସେମାନେ ଉଲ୍ଲଙ୍ଘନ କରିଥିବାରୁ କାଳେ ପରିବାର ଲୋକ ଦଣ୍ଡ ଦେବେ, ସେହି ଭୟ ସେମାନଙ୍କୁ ଡରାଇପାରେ। ପ୍ରଦତ୍ତ ଗାଇଲାଇନ ସତ୍ତ୍ୱେ ଅନଲାଇନରେ ଚାଇଲ୍ଡ ସେକ୍ସୁଆଲ ବିଷୟବସ୍ତୁ ବେଧଡ଼କ ଢଙ୍ଗରେ ଘୁରି ବୁଲୁଥିବାରୁ ଏହାକୁ ନେଇ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି।ବିଭିନ୍ନ ଆପତ୍ତିଜନକ ବିଷୟବସ୍ତକୁ ପ୍ଲାଟଫର୍ମଗୁଡ଼ିକ ନିଜ ଆଡ଼ୁ ଚିହ୍ନଟ କରି ତତ୍କାଳ ହଟାଇବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି।

Exit mobile version