Nababharat News

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ସ୍ଵତନ୍ତ୍ର ଆଇନ ଅଧୀନରେ ଥିବା ମାମଲାଗୁଡ଼ିକ ପାଇଁ କୋର୍ଟ ସ୍ଥାପନ କରାଯାଇ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏଭଳି ହେଲେ ଉପରୋକ୍ତ ଆଇନର ଅଭିଯୁକ୍ତମାନଙ୍କୁ ଜାମିନ ମଞ୍ଜୁର କରିବାକୁ ଅଦାଲତ ବାଧ୍ୟ ହେବେ ବୋଲି ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ କହିଛନ୍ତି। ଏନ୍‌ଆଇଏ ଆଇନ ଏବଂ ଅନ୍ୟାନ୍ୟ ସ୍ଵତନ୍ତ୍ର ଆଇନ ଅଧୀନରେ ମାମଲାଗୁଡ଼ିକର ତ୍ୱରିତ୍‌ ବିଚାର ପାଇଁ ସରକାର ଯଦି ଆବଶ୍ୟକ ଭିତ୍ତିଭୂମି ସହ ସ୍ଵତନ୍ତ୍ର କୋର୍ଟ ସ୍ଥାପନ କରିବାରେ ବିଫଳ ହୁଅନ୍ତି, ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଚାର ଶେଷ କରିବା ପାଇଁ ପ୍ରଭାବଶାଳୀ ବ୍ୟବସ୍ଥା ରହିବ ନାହିଁ। ଫଳରେ ଅଦାଲତଗୁଡ଼ିକ ଅଭିଯୁକ୍ତମାନଙ୍କୁ ଜାମିନରେ ଛାଡ଼ିବା ପାଇଁ ସବୁବେଳେ ବାଧ୍ୟ ହେବେ। ବର୍ତ୍ତମାନ ରହିଥିବା ଅତାଲତଗୁଡ଼ିକୁ ସ୍ଵତନ୍ତ୍ର ଅଦାଲତ ଭାବେ ନାମିତ କରିବା ପାଇଁ ସେଗୁଡ଼ିକୁ ବିଶ୍ୱାସଯୋଗ୍ୟ କରିବା ନିମନ୍ତେ ହାଇକୋର୍ଟଗୁଡ଼ିକୁ ବାଧ୍ୟ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ରାଜକୁମାର ଭାସ୍କର ଠାକ୍‌ରେଙ୍କୁ ଖଣ୍ଡପୀଠ କହିଛନ୍ତି। ଏନ୍‌ଆଇଏ ଏବଂ ଅନ୍ୟ ସ୍ଵତନ୍ତ୍ର ଆଇନର ମାମଲାଗୁଡ଼ିକର ତ୍ୱରିତ୍‌ ଶୁଣାଣି ପାଇଁ ସ୍ଵତନ୍ତ୍ର ଅଦାଲତ ସ୍ଥାପନ ଦିଗରେ କୌଣସି ପ୍ରଭାବୀ କିମ୍ବା ଦେଖିଲା ଭଳି ପଦକ୍ଷେପ ନିଆଯାଇନାହିଁ। ସ୍ଵତନ୍ତ୍ର କୋର୍ଟ ଖୋଲିବା ନିମନ୍ତେ ଉଚ୍ଚ ନ୍ୟାୟିକ ସେବା ଅଫିସର, କର୍ମଚାରୀ ପଦବୀ ସୃଷ୍ଟି କରିବା, କୋର୍ଟରୁମ୍‌ ଏବଂ ମୌଳିକ ସୁବିଧା ସୁଯୋଗର ଆବଶ୍ୟକତା ରହିଥିବା ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠଙ୍କ ନିର୍ଦ୍ଦେଶର ବିପରୀତରେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ, ବର୍ତ୍ତମାନର ଅଦାଲତଗୁଡ଼ିକୁ ଏନ୍‌ଆଇଏ ଆଇନ ଅଧୀନରେ ସ୍ବତନ୍ତ୍ର କୋର୍ଟ ଭାବେ ନାମିତ କରାଗଲେ ଏହା ନିର୍ଦ୍ଦେଶନାମାର ଯଥେଷ୍ଟ ଅନୁପାଳନ ହୋଇପାରିବ। ଯଦି ହାଇକୋର୍ଟ ମୁଖ୍ୟ ବିଚାରପତିମାନେ ଏଥିରେ ରାଜି ହେବେ ଆମେ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ସମ୍ପୂର୍ଣ୍ଣ ଖାରଜ କରିଦେବୁ। ତେବେ ଏହାଦ୍ୱାରା ବିଚାରାଧୀନ ବନ୍ଦୀ ଏବଂ ବୃଦ୍ଧ ବନ୍ଦୀ, ସମାଜର ବଞ୍ଚତ୍ତ ବର୍ଗ ଓ ଦୀର୍ଘଦିନ ଜେଲରେ ରହିଥିବା ଲୋକଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି।

Exit mobile version