Nababharat News

’ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ହାଇଦ୍ରାବାଦ ଯାଇଥିବାବେଳେ ସେଠାରେ ଥିବା ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି ପରିଦର୍ଶନ କରି ଜଗଦଗୁରୁ ରାମାନୁଜାଚାର୍ଯ୍ୟଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହି ସମୟରେ ପ୍ରତିନିଧିମଣ୍ଡଳୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଚିନ୍ନା ଶ୍ରୀମନ୍ତ ନାରାୟଣ ରାମାନୁଜ ଜିୟାର ସ୍ବାମୀଜୀଙ୍କୁ ଭେଟିବା ସହ ଭାରତୀୟ ଆଧ୍ୟାତ୍ମିକ ପରମ୍ପରା, ଅନ୍ତର୍ଭୁକ୍ତ ଦର୍ଶନ ଓ ସମସାମୟିକ ସମାଜରେ ରାମାନୁଜାଚାର୍ଯ୍ୟଙ୍କ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ସ୍ବାମୀଜୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଓଡ଼ିଶା ଲୋକଙ୍କ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଶୁଭକାମନା ଜଣାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ତ୍ରିଦଣ୍ଡି ଅହୋବିଲା ରାମାନୁଜ ଜିୟାର ସ୍ବାମୀଜୀଙ୍କ ଦ୍ବାରା ରଚିତ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଉପରେ ପର୍ଯ୍ୟବସିତ ଓଡ଼ିଆ ଭଜନକୁ ଉନ୍ମୋଚନ କରିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି କେବଳ ଭାରତୀୟ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ ନୁହେଁ ବରଂ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଦ୍ବାରା ପ୍ରଦତ୍ତ ସାମାଜିକ ନ୍ୟାୟ, ମାନବିକ ମର୍ଯ୍ୟାଦାର କାଳଜୟୀ ମୂଲ୍ୟବୋଧକୁ ସ୍ମରଣ କରିଥାଏ । ଏହି ମୂଲ୍ୟବୋଧ ଓଡ଼ିଶାର ବିକାଶ, ସାମାଜିକ ସମନ୍ବୟ ଓ ‌ଲୋକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ମାର୍ଗଦର୍ଶନ କରିବ ।

Exit mobile version