Nababharat News

 ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଆଶ୍ୱାରୋହୀ ସୁରକ୍ଷା ବାହିନୀରେ ନିୟୋଜିତ ୨୮ ବର୍ଷୀୟ ସୈନ୍ୟ ଯବାନ ସୌରଭ ତୋମାରଙ୍କୁ ତାଙ୍କ ନିଜ ଗାଁରେ ଗୁଳିମାଡ଼ କରାଯାଇଛି। ଗୁଳିଟି ତାଙ୍କ ମୁଣ୍ଡରେ ବାଜିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ମିରଟର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଜରୁରୀ ଚିକିତ୍ସା ଶେଷ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ବିପଦମୁକ୍ତ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ବାଗପତ ଜିଲ୍ଲା ଗୋପାଳପୁର ଖଡାନା ଗାଁର ଅଧିବାସୀ ସୌରଭ ଛୁଟିରେ ନିଜ ଗାଁକୁ ଆସିଥିବା ବେଳେ ଦୀପାବଳି ରାତିରେ ନିଜ ଘର ଆଗରେ ଭାଇ ବିନୀତଙ୍କ ସହ ଠିଆ ହୋଇଥିଲେ। ଏହି ସମୟରେ ଗାଁର ଦୁଇ ଯୁବକ ଧୀରଜ ଓ ମୋନୁ ପୂର୍ବ ଶତ୍ରୁତାକୁ ନେଇ ସେମାନଙ୍କ ସହ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଆକ୍ରମଣକାରୀମାନେ ଦେଶୀ ପିସ୍ତୋଲ ଓ ଲାଠି ଧରି ଆସି ବାକ୍‌ଯୁଦ୍ଧ କରିବା ସହ ଅଚାନକ ଗୁଳିଚାଳନା କରିଥିଲେ। ପିସ୍ତୋଲରୁ ବାହାରିଥିବା ଗୁଳିଟି ନିକଟସ୍ଥ କାନ୍ଥରେ ବାଜି ରିଫ୍ଲେକ୍ଟ ହୋଇ ସୌରଭଙ୍କ ମୁଣ୍ଡରେ ବାଜିଥିଲା। ଏହାସହ ଦୁର୍ବୃତ୍ତମାନେ ଲାଠିରେ ଆକ୍ରମଣ କରି ତାଙ୍କ ଭାଇ ବିନୀତଙ୍କ ମୁଣ୍ଡକୁ ମଧ୍ୟ ଗୁରୁତର ଆହାତ କରିଛନ୍ତି।

Exit mobile version