ମୁମ୍ବାଇ:ବିଗ୍ ବସ୍ ୧୩ରେ ନିଜ ଚୁଲବୁଲି ଅନ୍ଦାଜ ଓ ଖୋଲା ମନ ପାଇଁ ଶେହନାଜ ଗିଲ୍ ଦର୍ଶକଙ୍କ ପ୍ରିୟ ହୋଇପାରିଥିଲେ। ବିଗ୍ ବସ ଘରେ ରହିବା ପରେ ସୋ’ର ଉପସ୍ଥାପକ ସଲମାନଙ୍କର ମଧ୍ୟ ପ୍ରିୟ ହୋଇପାରିଥିଲେ ଶେହନାଜ। ସୋ’ ଶେଷ ହେବା ପରେ ବି ଶେହନାଜଙ୍କ କ୍ରେଜ ଦର୍ଶକଙ୍କ ମଧ୍ୟରେ ରହିଛି। ସେ ଅନେକ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି। ତେବେ ବିଗ୍ ବସ୍ ୧୩ରେ ଶେହନାଜ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ନିକଟତର ହୋଇଥିଲେ ବି ଖୁବ କମ ସମୟ ପାଇଁ ଦୁହେଁ ସାଥିରେ ରହି ପାରିଥିଲେ। ଦୁହେଁ ଭଲ ବନ୍ଧୁଥିବା ବେଳେ ପରେ ଦୁହେଁ ବିବାହ କରିଥାନ୍ତେ ବୋଲି ଚର୍ଚ୍ଚା ବି ହୋଇଥିଲା। ହେଲେ ଏମଧ୍ୟରେ ସିଦ୍ଧାର୍ଥ ମୃତ୍ୟୁ ହେବାରୁ ଏକା ପଡ଼ିଯାଇଥିଲେ ଶେହନାଜ।
ସିଦ୍ଧାର୍ଥ ଯିବା ପରେ ଏବେ ଶେହନାଜଙ୍କୁ ପୁଣି ଥରେ ଭଲପାଇବା ମିଳିଥିବା ଜଣାପଡ଼ିଛି। ଶେହନାଜଙ୍କ ଇନଷ୍ଟା ପୋଷ୍ଟ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଶେହନାଜ ଲୋକପ୍ରିୟ କଣ୍ଠଶିଳ୍ପୀ ଗୁରୁ ରନ୍ଧାୱାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯାହାର କ୍ୟାପସନ ଦେଖି ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।
ଗୁରୁ ରନ୍ଧାୱାଙ୍କ ସହ ନିଜର ଆଗାମୀ ମ୍ୟୁଜିକ ଭିଡିଓର ପୋଷ୍ଟର ସେୟାର କରିଛନ୍ତି ଶେହନାଜ୍। ମ୍ୟୁଜିକ ଭିଡିଓର ନାମ ରହିଛି ‘ସନରାଇଜ୍’। କିଛି ମାସ ତଳେ ଦୁହେଁ ମ୍ୟୁଜିକ ଭିଡିଓ ‘ମୁନରାଇଜ’ରେ ନଜର ଆସିଥିଲେ। ସେହି ମ୍ୟୁଜିକ ଭିଡିଓଟି ସୁପରହିଟ୍ ହେବା ପରେ ଏବେ ପୁଣି ଥରେ ଦୁହେଁ ସାଥିରେ ନଜର ଆସିବେ।
ପୋଷ୍ଟର ସେୟାର କରି ଶେହନାଜ ଲେଖିଛନ୍ତି, “ଏହା କେବଳ ଏକ ଗୀତ ନୁହେଁ, ଏହା ଏକ ସୁନ୍ଦର ଅନୁଭବ ଯାହାକୁ ଆମେ ଏକତ୍ର ଭଲପାଉ। ଆମକୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ।” ତେବେ ଏଥିରେ ତାଙ୍କ ମ୍ୟୁଜିକ୍ ଭିଡିଓରେ ଦୁହିଁଙ୍କ ଯୋଡିକୁ ଦର୍ଶକଙ୍କ ଭଲପାଇବା ମିଳିବା ବିଷୟରେ କହିଛନ୍ତି।
