ନୂଆଦିଲ୍ଲୀ: ମୋଟର ଯାନ ଆଇନ ଉଲଙ୍ଘନକାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଗେଜେଟ ବିଜ୍ଞପ୍ତି ଜାରି କଲା କେନ୍ଦ୍ର ସଡ଼କ ପରିବହନ ବିଭାଗ lନୂଆ ସଂଶୋଧନ ଅନୁସାରେ ବର୍ଷକରେ ପାଞ୍ଚ ଥର ମୋଟର ଯାନ ଆଇନ ଉଲଙ୍ଘନ କଲେ ଗାଡ଼ିର ପଞ୍ଜିକରଣ ରଦ୍ଦ ହେବ। ସେହିଭଳି ଯଦି କେହି ଚାଳକ ପାଞ୍ଚ ଥର ଆଇନ ଉଲଙ୍ଘନ କରୁଛନ୍ତି ତେବେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ ହେବାର ମଧ୍ୟ ବ୍ୟବସ୍ଥା କରାଯିବ। ଏହି ନିୟମକୁ ଚଳିତ ବର୍ଷ ଜାନୁଆରୀ ୧ରୁ ଲାଗୁ କରାଯାଇଛି। ଚାଲାଣ କଟିଲେ ୪୫ଦିନ ପର୍ଯ୍ୟନ୍ତ ମହଲତ ଦିଆଯିବ l ୪୫ଦିନ ସରିବାର ୩୦ଦିନ ଭିତରେ ଜରିମାନା ଦେବାକୁ ବାଧ୍ୟ। ୪୫ଦିନ ଭିତରେ ଚାଲାଣ ବିରୋଧରେ ଅଧିକାରୀଙ୍କ ନିକଟରେ ଅପିଲ କରି ପାରିବେ ଗାଡ଼ି ମାଲିକ। ସମ୍ପୃକ୍ତ ଅଧିକାରୀ ୩୦ ଦିନ ଭିତରେ ଫଇସଲା ଶୁଣାଇବାକୁ ବାଧ୍ୟ । ଅଧିକୃତ ଅଧିକାରୀ ଫଇସଲା ନଶୁଣାଇ ପାରିଲେ ଚାଲାଣ ଆପେ ରଦ୍ଦ ହୋଇଯିବ। ଚାଳକ ବା ଗାଡ଼ି ମାଲିକଙ୍କ ସପକ୍ଷରେ ଫଇସଲା ନହେଲେ ୩୦ଦିନ ଭିତରେ ଜରିମାନା ଦେବାକୁ ବାଧ୍ୟ ।ଫଇସଲା ଶୁଣାଣି ତାରିଖଠାରୁ ୩୦ଦିନ ଭିତରେ ଜରିମାନା ଦେବାକୁ ପଡ଼ିବ । ଅଧିକାରୀଙ୍କ ଫଇସଲାରେ ଅସନ୍ତୁଷ୍ଟ ଗାଡ଼ି ମାଲିକ ଅଦାଲତରେ ଅପିଲ କରିପାରିବେ। ଅଦାଲତର ଅପିଲ ପୂର୍ବରୁ ଜରିମାନାର ୫୦ପ୍ରତିଶତ ପରିବହନ ବିଭାଗରେ ଜମା କରିବାକୁ ପଡ଼ିବ। ଅଦାଲତ ନିର୍ଦ୍ଦେଶ ଆଧାରରେ ପୋଲିସ କିମ୍ବା ଅଧିକୃତ ଅଧିକାରୀ ସମ୍ପୃକ୍ତ ଗାଡିକୁ ଜବତ କରିପାରିବେ।
ମୋଟର ଯାନ ଆଇନରେ ସଂଶୋଧନ
