Nababharat News

ପହଲଗାମର ଆକ୍ରମଣ ର ମା‌ଷ୍ଟରମାଇଣ୍ଡ୍‌ ମୁସା ନିପାତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ତିନି ମାସ ବିତିଛି। ତିନି ମାସ ପରେ ଭାରତୀୟ‌ ସେନାକୁ ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦ୍‌ଲା ନେଇଛି ସେନା। ଶ୍ରୀନଗର ଉପକଣ୍ଠ ଲିଡ଼ବାସ ପାହାଡ଼ରେ ସେନାବାହିନୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଶୀର୍ଷ ଲସ୍କର କମାଣ୍ଡର ସୁ‌ଲେମାନ ଶାହ ଓରଫ ମୁସା ଫୌଜି ସମେତ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛି। ନିପାତ ହୋଇଥିବା ଅନ୍ୟ ୨ ଆତଙ୍କବାଦୀ ହେଉଛନ୍ତି ଅବୁ ହମ୍‌ଜା ଏବଂ ୟସିର। ଗତବର୍ଷ ଶ୍ରୀନଗର-‌ସୋନମାର୍ଗ ରାଜପଥରେ ଏକ ଟନେଲ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୭ ଜଣ ଲୋକଙ୍କ ହତ୍ୟା ଘଟଣାରେ ମଧ୍ୟ ମୁସା ସମ୍ପୃକ୍ତ ଥିଲା। ଜମ୍ମୁ କାଶ୍ମୀର ପୁଲିସ, ସିଆର୍‌ପିଏଫ୍‌ ଓ ସେନାର ଏକ ମିଳିତ ବାହିନୀ ‘ଅପରେସନ୍‌ ମହାଦେବ’ ଆରମ୍ଭ କରିଥିଲେ। ୩ ବିଦେଶୀ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ପାଇବା ପରେ ମହାଦେବ ପର୍ବତ ନିକଟସ୍ଥ ଶ୍ରୀନଗରର ଦଚିଗାମ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ଜବରବନରୁ ମହାଦେବ ପର୍ବତମାଳା ମଧ୍ୟରେ ଏହି ଅପରେସନ୍‌ କରାଯାଇଥିବାରୁ ଏହାର ନାଁ ଦିଆଯାଇଛି ‘ଅପରେସନ୍‌ ମହାଦେବ’। ଆତଙ୍କବାଦୀ ଲୁଚିଥିବା ସ୍ଥାନରୁ ୧୭ଟି ରାଇଫଲ୍‌ ଗ୍ରେନେଡ୍‌, ଗୋଟିଏ ଏମ୍‌୪ କାରବାଇନ୍‌, ୨ଟି ଏକେ-୪୭ ରାଇଫଲ୍‌ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

Exit mobile version