Nababharat News

ପବନ ହଂସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଆଜି ଆଣ୍ଡମାନରେ ପବନ ହଂସ ହେଲିକପ୍ଟର ଉଡାଣ ଭରିବା ମାତ୍ରେ ସମୁଦ୍ରରେ ଖସି ପଡିଛି । ହେଲିକପ୍ଟରରେ ଅତି କମରେ ସାତ ଜଣେ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ, ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ସମୁଦ୍ରରେ ଏହାର କ୍ରାଶ ଲ୍ୟାଣ୍ଡିଂ କରିବାକୁ ପଡିଛି । ଏହି ଘଟଣା ଆଣ୍ଡମାନ ସାଗରରେ ହୋଇଛି । ପାଇଲଟ୍ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବା ପରେ ନିଜ ବୁଦ୍ଧି ବଳରେ ସମୁଦ୍ରରେ ହେଲିକପ୍ଟରର କ୍ରାଶ ଲ୍ୟାଣ୍ଡିଂ କରାଇଛନ୍ତି । ଫଳରେ ଦୁଇ କ୍ରୁ ମେମ୍ବର୍ସ ସମେତ ସାତ ଜଣଙ୍କ ଜୀବନ ବଞ୍ଚି ଯାଇଛି । ଘଟଣାର ଖବର ମିଳିବା ମାତ୍ରେ ତୁରନ୍ତ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି କ୍ରୁ ସଦସ୍ୟ ଏବଂ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏହି ହେଲିକପ୍ଟର ପୋର୍ଟ ବ୍ଲେୟାରରୁ ମାୟାବନ୍ଦର ଯାତ୍ରା କରୁଥିଲା । ଉଡାଣ ଭରିବା ପରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ୍ ଜାଣି ପାରିଥିଲେ। ତେଣୁ ପାଇଲଟ୍ ହେଲିକପ୍ଟରକୁ ସମୁଦ୍ରରେ ହିଁ କ୍ରାଶ ଲ୍ୟାଣ୍ଡିଂ କରାଇଥିଲେ । ପବନ ହଂସର ମୁଖପାତ୍ର କହିଛନ୍ତି, ଘଟଣା ସକାଳ ପ୍ରାୟ ୯ଟା ୩୦ରେ ଘଟିଛି । ହେଲିକପ୍ଟର ସର୍ଟ ଲ୍ୟାଣ୍ଡିଂର ଶିକାର ହୋଇଛି । ଏଥିରେ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଛନ୍ତି । କାହାରିକୁ ଗୁରୁତର ଆଘାତ ଲାଗିନାହିଁ ।

Exit mobile version