Nababharat News

ମହାରାଷ୍ଟ୍ର ନିର୍ବାଚନରେ ଫିକ୍ସିଂ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ମହାରାଷ୍ଟ୍ର :- ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଜାଲିଆତି ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ୨୦୨୪ର ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା । ଏଥିପାଇଁ ପାଞ୍ଚଟି କୌଶଳ ଆପଣାଯାଇଥିବା ଅଭିଯୋଗ କରିଛନ୍ତି । ପ୍ରଥମ କୌଶଳ ହେଲା- ନିର୍ବାଚନ କମିଶନ ନିଯୁକ୍ତି ପାଇଁ ପାନେଲକୁ ରିଗିଂ କରାଯାଇଛି । ଅମ୍ପାୟରଙ୍କ ନିଯୁକ୍ତି ପାଇଁ ପ୍ୟାନେଲକୁ ରିଗିଂ କରାଯାଇଛି । ନିର୍ବାଚନ କମିଶନର ନିଯୁକ୍ତି ଆଇନରେ ୨୦୨୩ରେ ବିଜେପି ନେତୃତ୍ୱାଧୀନକେନ୍ଦ୍ର ସରକାର ପରିବର୍ତ୍ତନ ଆଣିଛନ୍ତି । ଚୟନ କମିଟିରେ ପ୍ରଧାନବିଚାରପତିଙ୍କ ଜାଗାରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନିତ କରାଯାଇଛି । ଦ୍ଵିତୀୟ କୌଶଳ ହେଲା-୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ରାଜ୍ୟରେ ୮ କୋଟି ୯୮ ଲକ୍ଷ ଭୋଟର ଥିଲେ । ୨୦୨୪ ମେରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ବେଳକୁ ରାଜ୍ୟରେ ଭୋଟର ସଂଖ୍ୟା ୯ କୋଟି ୨୯ ଲକ୍ଷକୁ ବୃଦ୍ଧି ପାଇଥିଲା । ୫ ବର୍ଷ ଭିତରେ ୩୧ ଲକ୍ଷ ଭୋଟର ବଢ଼ିଥିଲେ । ତେବେ ପରବର୍ତ୍ତୀ ୫ ମାସରେ ୨୦୨୪ ନଭେମ୍ବର ବିଧାନସଭା ନିର୍ବାଚନ ବେଳକୁ ଭୋଟର ସଂଖ୍ୟାରେ ଆଉ ୪୧ ଲକ୍ଷ ବୃଦ୍ଧି ଘଟିଲା । ଯାହାଦ୍ୱାରା ରାଜ୍ୟରେ ଭୋଟର ସଂଖ୍ୟା ୯ କୋଟି ୭୦ ଲକ୍ଷକୁ ବୃଦ୍ଧି ପାଇଥିବା ରାହୁଲ ଅଭିଯୋଗ କରିଛନ୍ତି ।

ତୃତୀୟ କୌଶଳରେ ମହାରାଷ୍ଟ୍ରରେ ମତଦାନ ଦିନ ଖୁବ ନାଟକୀୟ ଥିଲା। ଅପରାହ୍ଣ ୫ଟା ସମୟରେ ମତଦାନ ହାର ୫୮.୨୨% ଥିଲା। ମତଦାନ ଶେଷ ହେବା ପରେ ମଧ୍ୟ ଟର୍ଣ୍ଣଆଉଟ୍ ଆହୁରି ବୃଦ୍ଧି ପାଉଥିଲା ।ପରଦିନ ସକାଳେ ମତଦାନ ହାର ୬୬.୦୫%କୁ ବୃଦ୍ଧି ପାଇଥିଲା । ଏହି ୭.୮୩ ପ୍ରତିଶତ ମତଦାନ ହାର ବୃଦ୍ଧି ଅଭୂତପୂର୍ବ । ଯାହା ୭୬ ଲକ୍ଷ ମତଦାତାଙ୍କ ସହିତ ସମାନ । ମହାରାଷ୍ଟ୍ରର ପୂର୍ବ ବିଧାନସଭା ନିର୍ବାଚନଠାରୁ ମଧ୍ୟ ଏହା ବହୁତ ଅଧିକ। ଚତୁର୍ଥ କୌଶଳ ହେଲା ନକଲି ମତଦାନ କରାଇବା । ୮୫ଟି ନିର୍ବାଚନ ମଣ୍ଡଳୀରେ ୧୨ହଜାର ବୁଥରେ ଅଧିକାଂଶ ନକଲି ଭୋଟରଙ୍କୁ ଯୋଡ଼ା ଯାଇଥିଲା ।ପ୍ରଥମରୁ ଚତୁର୍ଥ କୌଶଳ ବଳରେ ୨୦୨୪ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ଲଢ଼ିଥିବା ୧୪୯ ଆସନରୁ ୧୩୨ଟିରେ ଜିଣିଲା । ପଞ୍ଚମ କୌଶଳ ହେଲା- ବିରୋଧୀ ଦଳ କରିଥିବା ସମସ୍ତ ପ୍ରଶ୍ନର ଜବାବରେ ନିର୍ବାଚନ ଆୟୋଗଙ୍କ ନିରବତା ଓ ଉଗ୍ର ଆଚରଣ ଦେଖିବା ମିଳିଥିବା ଅଭିଯୋଗ କରିଛନ୍ତି ରାହୁଲ । ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ଫଟୋ ସହ ଭୋଟର ତାଲିକା ପ୍ରଦାନ ଲାଗି କରାଯାଇଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ସିଧାସଳଖ ଖାରଜ କରିଦେଇଛନ୍ତି । ୨୦୨୪ ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ କରାଯାଇଥିବା ରାହୁଲ କହିଛନ୍ତି ।

 0

Exit mobile version