Nababharat News

ଆଇଆଇଟି ବମ୍ବେ ଛାତ୍ର ଜୀବନ ହାରିବା ଘଟଣାରେ ପ୍ରଫେସର ନିଲମ୍ବିତ

ମୁମ୍ବାଇ: ବମ୍ବେ ଆଇଆଇଟି କ୍ୟାମ୍ପସରେ ଜଣେ ଛାତ୍ର ନିଜ ଜୀବନ ହାରିବା ମାମଲାରେ ପୋଲିସ ଜଣେ ପ୍ରଫେସରଙ୍କୁ ଅଭିଯୁକ୍ତ ଦର୍ଶାଇଛି । ମୁମ୍ବାଇ ସିଟି ପୋଲିସ ଏହି ଘଟଣାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଛି। ଛାତ୍ରଙ୍କ ପିତାମାତାଙ୍କ ଅଭିଯୋଗ କ୍ରମେ ପୋୱାଇ ପୋଲିସ ଶନିବାର ଦିନ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ (ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିବା) ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅଧିନିୟମର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ଏକ ମାମଲା ରୁଜୁ କରିଛି। ସୂଚନା ଥାଉ ଯେ, ଗତ ସେପ୍ଟେମ୍ବର ୧୮ରେ ଏନର୍ଜି ସାଇନ୍ସ ଓ ଇଞ୍ଜିନିଅରିଂ ବିଭାଗର ସାହିଲ ରବୀନ୍ଦ୍ର ୱାକୋଡେଙ୍କ ମୃତଦେହ ପୋୱାଇ କ୍ୟାମ୍ପସର ହଷ୍ଟେଲ ନମ୍ବର ୪ରୁ ମିଳିଥିଲା । ପରୀକ୍ଷା ହଲରେ ତାଙ୍କ ଠାରୁ ମୋବାଇଲ ଫୋନ ଜବତ ହେବା ପରେ ସେ ଜୀବନ ହାରିଥିବା ସହପାଠୀ ମାନେ ଅଭିଯୋଗ କରିଥିଲେ । ଛାତ୍ରଙ୍କ ମୃତ୍ୟୁ ପରେ କ୍ୟାମ୍ପସରେ ଶହ ଶହ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ସହ କଲେଜ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଦାୟୀ କରିଥିଲେ । ଆଇଆଇଟି ବମ୍ବେ ନିର୍ଦ୍ଦେଶକ ପ୍ରଫେସର ଶିରୀଷ କେଦାରେ ଆନ୍ଦୋଳନରତ ଛାତ୍ରଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ସେମାନଙ୍କର ୧୮ ଦାବିପତ୍ରରେ ସ୍ଵାକ୍ଷର କରିଛନ୍ତି। ଏହାସହ ଅଭିଯୁକ୍ତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ଆଇଆଇଟି ବମ୍ବେ ଜାରି କରିଥିବା ଏକ ବିବୃତ୍ତି ଅନୁଯାୟୀ ମୃତ ଛାତ୍ର ଜଣକ ପରୀକ୍ଷା ହଲରେ ପ୍ରଶ୍ନପତ୍ରର ଫଟୋ ଚାଟ୍‌ଜିପିଟିରେ ଅପଲୋଡ କରି ଉତ୍ତର ଖୋଜିଥିଲେ । ଏହା ଧରା ପଡିବା ପରେ ଛାତ୍ରଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । କିନ୍ତୁ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ତାଙ୍କୁ କାଉନସେଲିଂ କରି ଏହା ତାଙ୍କ ଶିକ୍ଷାଗତ କ୍ୟାରିୟର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ଏହା ପରେ ଛାତ୍ର ଜଣକ ନିଜ ହଷ୍ଟେଲ ରୁମକୁ ଫେରିଥିଲେ। ପରେ ସନ୍ଧ୍ୟାରେ ରୁମରୁ ଛାତ୍ରଙ୍କ ମୃତଦେହ ମିଳିଥିଲା। କିନ୍ତୁ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଭାବକ । ସେମାନେ କହିଛନ୍ତି ଯେ ତାଙ୍କ ପୁଅକୁ ଶିକ୍ଷାନୁଷ୍ଠାନରେ ନିର୍ଯାତନା ଓ ଜାତିଗତ ଟିପ୍ପଣୀ ଯୋଗୁଁ ସେ ଏଭଳି ଦୃଢ ପଦକ୍ଷେପ ନେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଗତ ସାତ ମାସ ମଧ୍ୟରେ ଆଇଆଇଟି ବମ୍ବେ କ୍ୟାମ୍ପସରେ ଛାତ୍ର ଜୀବନ ହାରିବାର ଏହା ତୃତୀୟ ଘଟଣା।

Exit mobile version