Nababharat News

ୟୁକ୍ରେନ୍‌ରେ ଭୟଙ୍କର ମିସାଇଲ୍ ମାଡ଼, ୪ ଭାରତୀୟ ନାବିକ ମୃତ

ନୂଆଦିଲ୍ଲୀ: ୟୁକ୍ରେନ୍ ର ଓଡେସା ବନ୍ଦରରୁ ବାହାରୁଥିବା ଏକ ବ୍ୟାବସାୟିକ ମାଲବାହୀ ଜାହାଜ ‘MV Golden Leo’ ଉପରେ ଜୁଲାଇ ୧୯ ସନ୍ଧ୍ୟାରେ ଏକ ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି । ଏହି ଦୁର୍ଭାଗ୍ୟଜନକ ଘଟଣାରେ ୪ ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଭାରତୀୟ ଗୁରୁତର ଭାବେ ଆହାତ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆକ୍ରମଣ ସମୟରେ ଜାହାଜରେ ମୋଟ ୧୭ ଜଣ କ୍ରିୟୁ ସଦସ୍ୟ ଥିଲେ, ଯେଉଁଥିରେ ୫ ଜଣ ଭାରତୀୟ ନାବିକ ସାମିଲ ଥିଲେ । ଗୁରୁତର ଭାବେ ଆହାତ ହୋଇଥିବା ଭାରତୀୟ ନାବିକଙ୍କୁ ୟୁକ୍ରେନ୍ ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗିନି-ବିସାଉ ପତାକା ବିଶିଷ୍ଟ ଏହି ବଲ୍କ କ୍ୟାରିଅର୍ ଜାହାଜଟି ଏକ ତୁର୍କୀ କମ୍ପାନୀର ଅଟେ । ଏହା ଓଡେସା ବନ୍ଦରରୁ ଶସ୍ୟ ନେଇ ବାହାରୁଥିବା ବେଳେ ଏହି ଆକ୍ରମଣର ଶିକାର ହୋଇଥିଲା । ଋଷ କ୍ଷେପଣାସ୍ତ୍ର ମାଡ଼ରେ ଜଣେ ୟୁକ୍ରେନୀୟ ମାରିଟାଇମ୍ ପାଇଲଟଙ୍କ ସମେତ ମୋଟ ୧୦ ଜଣ ପ୍ରାଣ ହରାଇଛନ୍ତି । ୮ ଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇପାରିଛି । ୟୁକ୍ରେନ୍ ପ୍ରଶାସନ ଏହାକୁ ସାଧାରଣ ବ୍ୟାବସାୟିକ ଜାହାଜ ଉପରେ ଏକ ଅମାନୁଷିକ ଆକ୍ରମଣ ବୋଲି ଅଭିହିତ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛି ।

Exit mobile version