Nababharat News

ଦିଲ୍ଲୀର ୫ ସ୍କୁଲକୁ ବୋମା ଧମକ 

ନୂଆଦିଲ୍ଲୀ: ବୁଧବାର ସକାଳୁ ସକାଳୁ ଦିଲ୍ଲୀରେ ୫ଟି ଜଣାଶୁଣା ସ୍କୁଲକୁ ବୋ‌ମା ଧମକ ମିଳିବା ପରେ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଥିଲେ। ଇମଲେ୍ ଜରିଆରେ ଧମକ ମିଳିବା ପରେ ପୁଲିସ ଛାନ୍‌ଭିନ୍ କରିବାକୁ ସ୍କୁଲରେ ପହଞ୍ଚିଥିଲେ ବି କିଛି ମିଳିନଥିଲା। ଧମକପୂର୍ଣ୍ଣ ଇମେଲଟି କିଏ ପଠାଇଥିଲା ବୋଲି ଯାଞ୍ଚ କରାଯିବା ପରେ ଇମେଲଟି ଜର୍ମାନୀରୁ ଆସିଛି ବୋଲି ଜଣାପଡ଼ିଛି। ହେଲେ ପୁଲିସ ସନ୍ଦେହ କରୁଛି ଯେ, ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ (ଭିପିଏନ) ବ୍ୟବହାର କରି ଅଭିଯୁକ୍ତ ନିଜ ପ୍ରକୃତ ସ୍ଥାନକୁ ଲୁଚାଇ ରଖିଥାଇପାରେ। ତଦନ୍ତରେ ସାମିଲ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବୁଧବାର ଆସିଥିବା ଧମକପୂର୍ଣ୍ଣ ଇମେଲଗୁଡ଼ିକର ଆଇପି ଠିକଣା ଏକ ଜର୍ମାନ ନେଟୱାର୍କକୁ ସୂଚିତ କରୁଛି। ଇମେଲ୍ ଆକାଉଣ୍ଟଟି ମଧ୍ୟ ଜର୍ମାନୀ-ଭିତ୍ତିକ ପ୍ରଦାନକାରୀଙ୍କ ସହ ଲିଙ୍କ୍ ଥିବା ଜଣାଯାଇଛି। ଆଜି ରାଜଧାନୀର ଅତି କମରେ ୫ଟି ସ୍କୁଲକୁ ବୋମା ଧମକ ମିଳିଥିଲା। ୫ଟି ସ୍କୁଲର ନାମ ହେଲା ରିଚମଣ୍ଡ ଗ୍ଲୋବାଲ୍ ସ୍କୁଲ (ଭୋର୍ ୪.୧୬), ଦ୍ୱାରକା (ସକାଳ ୫.୨୬), ବସନ୍ତ କୁଞ୍ଜ (ସକାଳ ୬.୩୦), ପଶ୍ଚିମ ବିହାର (ସକାଳ ୮.୧୧), ହୌଜ ଖାସ୍ (ସକାଳ ୮.୧୨)।

ଧମକପୂର୍ଣ୍ଣ ବାର୍ତ୍ତାରେ ଲେଖାଯାଇଥିଲା ଯେ, “ଶୁଭ ସକାଳ। ବିସ୍ଫୋରକ ଉପକରଣଗୁଡ଼ିକୁ ବ୍ୟାଗ ଭିତରେ ଲୁଚାଇ ସ୍କୁଲର ଶ୍ରେଣୀଗୃହରେ ରଖାଯାଇଛି। ଏହା ଅତ୍ୟନ୍ତ ଗମ୍ଭୀର। ତୁମ ସମସ୍ତଙ୍କୁ ପାପର ଫଳ ଭୋଗିବାକୁ ପଡ଼ିବ।”

Exit mobile version