ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟିର ପ୍ରଦର୍ଶନକାରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତୀବ୍ର ନିନ୍ଦା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ସୁପ୍ରିମକୋର୍ଟରେ କୌଣସି ଆନୁଷ୍ଠାନିକ ରିଟ୍ ପିଟିସନ୍ (Writ Petition) ଦାଏର ହୋଇନାହିଁ ଏବଂ ଗଣମାଧ୍ୟମର ଏଭଳି ଦାୟିତ୍ୱହୀନ ରିପୋର୍ଟିଂ ଅତ୍ୟନ୍ତ ନିନ୍ଦନୀୟ ଅଟେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଜି ଖୋଲା ଅଦାଲତରେ ଏହି ପ୍ରସଙ୍ଗ ଉଠାଇ ଗଣମାଧ୍ୟମକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ବିଗତ ଦୁଇ ଦିନ ଧରି ଗଣମାଧ୍ୟମଗୁଡ଼ିକ ଏକ ସମ୍ପୂର୍ଣ୍ଣ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି ଯେ ପ୍ରଧାନ ବିଚାରପତି ଏହି ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ସିଜେଆଇ ସ୍ପଷ୍ଟ କରିଛନ୍ତି, “ସକାଳ ୧୦ଟା ପର୍ଯ୍ୟନ୍ତ ଏହି ମାମଲାରେ ଗୋଟିଏ ବି ପୃଷ୍ଠା ଦାଏର କରାଯାଇନାହିଁ। ଏହା କେବଳ ଆଇନଜୀବୀ ନରେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଦିଆଯାଇଥିବା ଏକ ମୌଖିକ ଆବେଦନ। ଏକ ସାଧାରଣ ଆବେଦନ ପତ୍ରକୁ ବିନା ଆନୁଷ୍ଠାନିକ ଫାଇଲିଂରେ କିପରି ଏକ ରିଟ୍ ପିଟିସନ୍ ଭାବେ ଗ୍ରହଣ କରାଯାଇପାରିବ?” ଏହି ଆଧାରରେ ଖବର ପ୍ରସାରଣ କରିବା ଏକ ଦାୟିତ୍ୱହୀନ ଦକ୍ଷେପ ବୋଲି ସେ ବିରକ୍ତି ପ୍ରକାଶ କରିଥିଲେ।
ରିପୋର୍ଟ ଅନୁସାରେ, ଗତ ୨୦ ତାରିଖରେ ସିଜେପିର ଏକ ଶୋଭାଯାତ୍ର ସଂସଦ ଅଭିମୁଖେ ବାହାରିଥିଲା । ଯାହାକୁ ରୋକିବା ପାଇଁ ଉଭୟ ପ୍ରଦର୍ଶନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ଅନେକ ଆହତ ମଧ୍ୟ ହୋଇଥିଲେ । ଏହାକୁ ନେଇ ଜୁଲାଇ ୨୨ ତାରିଖରେ ନରେନ୍ଦ୍ର ମିଶ୍ରା ନାମକ ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ ଆବେଦନ କରି କୋର୍ଟ ଏହି ମାମଲାକୁ ଗୁରୁତର ସହ ନେବାକୁ ଅନୁରୋଧ କରିଥିଲେ । ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଭିଡିଓ ଫୁଟେଜ୍ ଦେଖିବାକୁ ମଧ୍ୟ ସେ ଅପିଲ କରିଥିଲେ । ମାତ୍ର କୌଣସି ଆନୁଷ୍ଠାନିକ ମାମଲା ଦାଏର ନହୋଇଥିବାରୁ, ସିଜେଆଇ କହିଥିଲେ ଯେ, “ଆମର ଏବଂ ଆପଣଙ୍କ ସମୟ ନଷ୍ଟ କରନ୍ତୁ ନାହିଁ। ଆମର ଭିଡିଓ ଦେଖିବାକୁ ସମୟ ନାହିଁ।” ଯାହାକୁ ଆଧାର କରି କିଛି ଗଣମାଧ୍ୟମ ରିପୋର୍ଟ କରିଥିଲେ ଯେ ସୁପ୍ରିମକୋର୍ଟ ସିଜେପି ଛାତ୍ର ଆନ୍ଦୋଳନ ମାମଲାକୁ ଶୁଣାଣି ପାଇଁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ଯେ, ଏହି ମାମଲାକୁ ନେଇ ଔପଚାରିକ ଭାବେ କୌଣସି ଜନସ୍ୱାର୍ଥ ମାମଲା ଦାଖଲ ହୋଇନାହିଁ ।
ସିଜେପି ପ୍ରଦର୍ଶନ ମାମଲା: ଭ୍ରାନ୍ତ ଖବରକୁ ସିଜେଆଇଙ୍କ କଡ଼ା ନିନ୍ଦା
