Nababharat News

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ:ସୋମବାର ମଦୁରାଇ କୋର୍ଟ ବ୍ୟବସାୟୀ ପି. ଜୟରାଜ ଏବଂ ତାଙ୍କ ପୁଅ ଜେ. ବେନିକ୍ସଙ୍କ ହେପାଜତ ମୃତ୍ୟୁ ମାମଲାରେ ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି।

ସୂଚନା ଅନୁଯାୟୀ ଦେଶରେ କୋଭିଡ୍ ମହାମାରୀ ପାଇଁ ଲକଡାଉନ୍ ଚାଲିଥିଲା । ୧୯ ଜୁନ, ୨୦୨୦ରେ ରାତି ୯ଟା ପରେ ଦୋକାନ ଖୋଲିବା ଏବଂ ସେତେବେଳେ ପ୍ରଚଳିତ କୋଭିଡ୍-୧୯ ମାନଦଣ୍ଡ ଉଲ୍ଲଂଘନ କରିବା ଅଭିଯୋଗରେ ସଥାନକୁଲମ ପୋଲିସ ଦ୍ୱାରା ଜୟରାଜ ଏବଂ ତାଙ୍କ ପୁଅ ବେନିକ୍ସଙ୍କୁ ଗିରଫ କରିଥିଲା । ଆଇପିସି ଧାରା ୧୮୮, ୨୬୯, ୨୯୪(ଖ), ୩୫୩ ଏବଂ ୫୦୬(୨) ଅନୁଯାୟୀ ରିମାଣ୍ଡରେ ନିଆଯାଇଥିଲା। ଏହି ସମୟରେ ପୋଲିସ ସେମାନଙ୍କ ଉପରେ ହାଜତ ଭିତରେ ଅକଥନୀୟ ନିର୍ଯ୍ୟାତନା ଦେଇଥିଲା । ଫଳରେ ଜୁନ ୨୨ରେ ପ୍ରଥମେ ପୁଅ ବେନିକ୍ସ ଏବଂ ୨୩ ଜୁନରେ ବାପା ଜୟରାଜଙ୍କ ମୃତ୍ୟୁବରଣ କରିଥିଲେ। ଏ ନେଇ ୧୦ ଜଣ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା ଏବଂ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ସ୍ୱତଃ ଭାବରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସ୍ୱତଃ ମାମଲାର ଶୁଣାଣି କରିବା ସମୟରେ, ହାଇକୋର୍ଟ ଏହା ମଧ୍ୟ ମନ୍ତବ୍ୟ ଦେଇଥିଲେ ଯେ ଅଧିକାରୀମାନଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ପାଇଁ ଏକ ପ୍ରାଥମିକ ମାମଲା ରହିଛି। ଅଧିକାରୀମାନେ ମାମଲା ସହିତ ଜଡିତ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିବାରୁ କୋର୍ଟ ଏହାର ତଦନ୍ତ ନିର୍ଦ୍ଦେଶ ତୁରନ୍ତ ସିବି-ସିଆଇଡିକୁ ହସ୍ତାନ୍ତର କରିଥିଲେ । ଏହା ପରେ ରାଜ୍ୟ ସରକାର ସିବିଆଇକୁ ମାମଲା ହସ୍ତାନ୍ତର କରିଥିଲେ । କୋର୍ଟ ଯେଉଁ ପୋଲିସ କର୍ମଚାରୀମାନଙ୍କୁ ଦଣ୍ଡ ଶୁଣାଇଛନ୍ତି ସେମାନେ ହେଉଛନ୍ତି ଇନ୍ସପେକ୍ଟର ଶ୍ରୀଧର, ସବ-ଇନ୍ସପେକ୍ଟର ବାଲକୃଷ୍ଣନ ଏବଂ ରଘୁ ଗଣେଶ, ଏବଂ ପୋଲିସକର୍ମୀ ମୁରୁଗାନ, ସାମଦୁରାଇ, ମୁଥୁରାଜା, ଚେଲାଦୁରାଇ, ଥମାସ ଫ୍ରାନ୍ସିସ ଏବଂ ଭେୟିଲୁମୁଥୁ l ଏହା ସହିତ କୋର୍ଟ ମୃତ ବ୍ୟବସାୟୀ ପୀ. ଜୟରାଜ ଏବଂ ତାଙ୍କ ପୁଅ ଜେ. ବିନିକ୍ସଙ୍କ ପରିବାରକୁ ୧ କୋଟି ୪୦ ଲକ୍ଷଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version