ନୂଆଦିଲ୍ଲୀ :ଦୁଇଟି ରାଜପଥ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛନ୍ତି। ସେଗୁଡ଼ିକ ମଧ୍ୟମରେ ୬ ଲେନ୍ ବିଶିଷ୍ଟ ନାସିକ୍-ସୋଲାପୁର କରିଡର ଏବଂ ଓଡ଼ିଶାର ୩୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ରହିଛି। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ମହାରାଷ୍ଟ୍ରର ନାସିକ- ସୋଲାପୁର-ଅକ୍କଲକୋଟ କରିଡର ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି।୩୭୪ କିଲୋମିଟର ଏହି ରାଜପଥ ପାଇଁ ୧୯ ହଜାର ୧୪୨ କୋଟି ଟଙ୍କା ବିନିଯୋଗ କରାଯିବ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ନାସିକ, ଅହଲ୍ୟାନଗର, ସୋଲାପୁର ଭଳି ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସହରଗୁଡ଼ିକୁ କୁର୍ଣ୍ଣୁଲ ସହ ସଂଯୋଗ କରିବ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ନୀତି ଅନୁଯାୟୀ, ସମନ୍ୱିତ ପରିବହନ ଭିତ୍ତିଭୂମି ବିକାଶ କରିବା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।ପ୍ରସ୍ତାବିତ କରିଡର ନିକଟବର୍ତ୍ତୀ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଫଳରେ ଆହୁରି ଅତିରିକ୍ତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ସେହିପରି ସରକାର ଓଡ଼ିଶାରେ ୩୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ୍ ୧ ହଜାର ୫୨୬ କୋଟି ୨୧ ଲକ୍ଷ ଟଙ୍କା ପୁଞ୍ଜିବିନିଯୋଗ ହେବ।
ଦୁଇଟି ରାଜପଥ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ
